ଶୀତରେ ଥରୁଛି ସାରା ଓଡ଼ିଶା। ହାଡ଼ଭଙ୍ଗା ଜାଡ଼ରେ ଥରୁଛି ରାଜ୍ୟର ବିଭିନ୍ନ ଜିଲ୍ଲା। ପାହାଡ଼ିଆ ଓ ସମତଳ ଅଞ୍ଚଳ ସବୁଠି ପ୍ରଚଣ୍ଡ ଶୀତ ପଡୁଛି। ସକାଳେ ଶୀତ ସାଙ୍ଗକୁ ଘନ କୁହୁଡ଼ି ଆହୁରି ଥଣ୍ଡା ପ୍ରକୋପ ବଢ଼ାଉଛି। ରବିବାର ରାତିରେ ଘୁ. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀକୁ ଖସି ଆସିଥିବାବେଳେ ରାଜଧାନୀରେ ଶୀତ ୨୫ ବର୍ଷରେ ସବୁଠୁ ଥଣ୍ଡା ରାତି ଭାବେ ରେକର୍ଡ ହୋଇଛି।
ଗ୍ରାମାଞ୍ଚଳରୁ ସହରାଞ୍ଚଳ ସବୁଠି ଶୀତ ପଡ଼ିବା ଦ୍ବାରା ସଞ୍ଜ ହେଲେ ଲୋକେ ବାହାରକୁ ବାହାରିବା କଷ୍ଟକର ହୋଇ ପଡୁଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୦ ସହରରେ ରାତି ତାପମାତ୍ରା ୧୦ଡିଗ୍ରୀ କିମ୍ବା ଏହାଠାରୁ କମ୍ ରହିଛି। ଝାରସୁଗୁଡ଼ା, କନ୍ଧମାଳ ଏବଂ ଅନୁଗୋଳ ଜିଲାରେ ଭୀଷଣ ଶୀତ ପଡୁଥିବାବେଳେ ଭୁବନେଶ୍ବର ଏବଂ କଟକରେ ଶୀତ ଲହରୀ ଅନୁଭୂତ ହେଉଛି। ସେପଟେ ୧୪ ସହରରେ ପାରଦ ୧୨ଡିଗ୍ରୀ ତଳେ ରହିଥିବାବେଳେ ଭୁବନେଶ୍ବରରେ ରାତି ପାରଦ ୧୨.୯ ଡିଗ୍ରୀକୁ ଖସି ଆସିଛି।
ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨୪ଦିନ ପର୍ଯ୍ୟନ୍ତ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବା ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ପାରଦ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ଉପରମୁହାଁ ହେବା ଦ୍ବାରା ସାମାନ୍ୟ ଶୀତ ପ୍ରକୋପ କମିପାରେ।
ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ପଡୁଛି। ଏଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀକୁ ଖସି ଆସିଛି। ଗତ ୨୫ବର୍ଷ ତୁଳନାରେ ସବୁଠାରୁ ଥଣ୍ଡା ରାତି ବୋଲି ପାଣିପାଗ ବିଜ୍ଞାନୀ ସ୍ପଷ୍ଟ କରିଛନ୍ତି। ଗତକାଲି ରାତି ତାପମାତ୍ରା ଏଠାରେ ୧୩ ଡିଗ୍ରୀ ଥିଲା। କଟକରେ ରାତି ତାପମାତ୍ରା ୧୩.୨ ଡିଗ୍ରୀକୁ କମି ଆସିଛି। ଭୁବନେଶ୍ବରରେ ସ୍ବାଭାବିକ ରାତି ତାପମାତ୍ରାଠାରୁ ୬.୧ଡିଗ୍ରୀ କମ୍ ଥିବାବେଳେ କଟକରେ ସ୍ବାଭାବିକ ରାତି ତାପମାତ୍ରାରୁ ୪.୭ଡିଗ୍ରୀ କମ୍ ରହିଛି। କଟକ ଏବଂ ଭୁବନେଶ୍ବର ସମତଳ ଅଞ୍ଚଳରେ ଅବସ୍ଥିତ। ପୁଣି ଗାଡ଼ିମୋଟର ଚଳାଚଳ କରୁଛି। ଏହାସତ୍ତ୍ବେ ଉଭୟ ସହରରେ ପ୍ରଚଣ୍ଡ ଶୀତ ଲହରୀ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ: ଆରମ୍ଭ ହେଲା ହୀରାକୁଦ ଇକୋ ରିଟ୍ରିଟ, ଭର୍ଚୁଆଲ ମୋଡରେ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା