ବରଗଡ଼: ଚଳିତ ବର୍ଷ ପାଇଁ ବରଗଡ଼କୁ ମିଳିଯାଇଛି ତାର ନୂତନ କଂସ ମହାରାଜ । ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ କୁମାର ମେହର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ ମହାରାଜ ରୂପେ ମନୋନୀତ ହୋଇଛନ୍ତି । ବରଗଡ଼ି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ସୁଶୀଲଙ୍କ ନାମକୁ ମଙ୍ଗଳବାର ଘୋଷଣା କରିଛନ୍ତି । ଜିଲ୍ଲାପାଳ ସରକାରୀ କାମରେ ଭୁବନେଶ୍ୱର ଗସ୍ତରେ ଥିବାରୁ ଅତିରିକ୍ତ ଜିଲ୍ଲାପାଳ ଏହି ଦାୟିତ୍ୱ ତୁଲାଇଛନ୍ତି ।
ନଭେମ୍ବର ୧ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମହାରାଜ କଂସ ଭୂମିକା ପାଇଁ ସୁଶୀଲ ମେହେର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ । ମୋଟ ୪୪ ଜଣ କଂସ ଚରିତ୍ର ପାଇଁ ଆବେଦନ କରିଥିଲେ । ମୋଟ ୧୧ଟି ଚରିତ୍ରରେ ୨୨୨ ଜଣ ଆବେଦନ କରିଥିଲେ । ଗତକାଲି ଟାଉନହଲଠାରେ ୩୬ ଜଣ କଂସ ଭୂମିକା ପାଇଁ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ । ମୋଟ ୫ ଜଣ ବିଚାରପତିଙ୍କ ସମ୍ମୁଖରେ ପ୍ରତିଯୋଗୀମାନେ ପାରମ୍ପାରିକ ବେଶ ପୋଷାକରେ ଅଭିନୟ ଦେଖାଇଥିଲେ । ବିକଟାଳ ଅଟ୍ଟହାସ୍ୟରେ କମ୍ପିଥିଲା ସଭାମଞ୍ଚ । ଏହା ପରେ ଆଜି ନାମ ଘୋଷଣା କରାଯାଇଛି । ୩୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ବିଚାରପତି ମଣ୍ଡଳୀ ସୁଶୀଲ ମେହେରଙ୍କ ନାମକୁ ଚୟନ କରିଛନ୍ତି ।
ସୁଶୀଲ ମେହେର ବରଗଡ଼ ପାଇଁ ନୂତନ କଂସ ହୋଇଥିବାବେଳେ ଅନ୍ୟ ସ୍ଥାନରେ କଂସ, ରାବଣ, ମହିଷାସୁର, ବାଣାସୁର ଭଳି ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ପ୍ରଭାସ କୁମାର ତ୍ରିପାଠୀ (ମୁଷ୍ଟିକ), ହିମାଂଶୁ ସାହୁ (ଚାଣୁର), ଆର୍ତ୍ତତ୍ରାଣ ମହାପାତ୍ର (ଉଗ୍ରସେନ), କାମରାଜ ଭୋଇ (ନାରଦ), ମନୋଜ ସାହୁ (ବସୁଦେବ), ଜଗନ୍ନାଥ ସାହୁ (ଅକ୍ରୂର), ଜଗବନ୍ଧୁ ମହାଲିଙ୍ଗ (ସାର୍ତ୍ତକୀ), ଅମ୍ବାଭୋନାର ହେମନ୍ତ ପ୍ରଧାନ (ସେନାପତି), ଗୁଲାବ ଚନ୍ଦ୍ର ଦାଶ (ମହାମନ୍ତ୍ରୀ) ଚରିତ୍ର ପାଇଁ ଚୟନ ହୋଇଛନ୍ତି । ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଛନ୍ତି। ଘୋଷଣା ସମୟରେ ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶର ଶତପଥୀ ମଧ୍ୟ ଉପସ୍ଥିତ ଥିଲେ।
ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଜାନୁଆରୀ ୩ ପର୍ଯ୍ୟନ୍ତ ବୃହତ୍ ମୁକ୍ତାକାଶ ମଞ୍ଚରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ଚାଲିବ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ପ୍ରତି ୩ ବର୍ଷରେ ବରଗଡ଼ ଧନୁଯାତ୍ରା ମହୋତ୍ସବର କଳାକାର ଚୟନ ବିଧି ରହିଛି । ବରଗଡ଼ ଧନୁଯାତ୍ରାରେ କୌଣସି ପୂର୍ବ ନିର୍ଦ୍ଧାରିତ କାହାଣୀ ନ ଥାଏ । ମଞ୍ଚାସୀନ କଳାକାର ନିଜର ଉପସ୍ଥିତି ବୁଦ୍ଧିରେ ସଂଳାପ କହିଥାଆନ୍ତି । ତେଣୁ କଳାକାର ଚୟନ ପ୍ରକ୍ରିୟା ବେଳେ ବିଚାରପତିମାନେ ପ୍ରତିଯୋଗୀଙ୍କର ବା କଳାକାରଙ୍କ ରୂପ, ସ୍ୱର, ସଂଳାପ କହିବାର ଶୈଳୀ, ଉପସ୍ଥିତି ବୁଦ୍ଧି ଆଦି ତମାମ ଦିଗକୁ ଦେଖି ବିଚାର କରିଥାଆନ୍ତି ।