ଭୁବନେଶ୍ୱର: ସରକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ହେଲେ ଲୋକମାନଙ୍କ ପାଖରେ ନିଶ୍ଚିତ ଭାବରେ ପହଁଚି ପାରିବ । ଆଉ ତାହାର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିଛି । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରୁ ଦାରିଦ୍ର୍ୟ ଦୂର ହେବ ଏବଂ ଲୋକଙ୍କ ମୁହଁରେ ହସ ଫୁଟି ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଭୁବନେଶ୍ୱର ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳୀନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିଛନ୍ତି । ଆସନ୍ତାକାଲି ସମସ୍ତ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଥିପାଇଁ ତୃଣମୂଳ ସ୍ତରର ସରକାରୀ ଅଧିକାରୀଭାବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିପରି ଗତ ୫୨୪ ଦିନ ସରକାରରେ ମୁଖ୍ୟମନ୍ତ୍ରୀ କେଉଁ କେଉଁ ଜିଲ୍ଲାକୁ କେତେଥର ଗସ୍ତ କରିଛନ୍ତି, ତାହାର ମଧ୍ୟ ହିସାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତ ଭାବରେ ମିଶିବାର ସୁଯୋଗ ମିଳିଛି । ଦେଢ଼ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ କଟକ ଜିଲ୍ଲାକୁ ସର୍ବାଧିକ ୩୪ ଥର ଗସ୍ତ କରିଥିବାବେଳେ ନିଜ ଜିଲ୍ଲା କେନ୍ଦୁଝରକୁ ୩୨ ଥର, ପୁରୀକୁ ୨୭ ଥର, ସମ୍ବଲପୁରକୁ ୮ ଥର, ମୟୁରଭଞ୍ଜକୁ ୭ ଏବଂ ନିକଟରେ ନୂଆପଡ଼ାକୁ ୬ ଥର ଗସ୍ତ କରିଛନ୍ତି ।
ସରକାର ଲୋକଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବେ ଜିଲ୍ଲାପାଳ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଘୋଷଣା କରାଯାଉଛି । ପ୍ରକଳ୍ପ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ କିମ୍ବା ମୁଖ୍ୟ ଶାସନ ସଚିବ ଯାଇ କାମ କରିବେ ନାହିଁ ବରଂ ଏହି କାମ ସେଠାକାର ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହେବ । ଯଦି କୌଣସି କାମ ହୋଇପାରୁ ନାହିଁ ତାହାର ଉତ୍ତରଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହିବ । ଏହି ସ୍ୱଳ୍ପ ସମୟରେ ରାଜ୍ୟର ହଜାର ହଜାର ଲୋକଙ୍କ ସହିତ ବ୍ୟକ୍ତିଗତଭାବରେ ମିଶିବାର ସୁଯୋଗ ରହିଛି । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି କାର୍ୟ୍ୟକାରୀ କରିଛୁ ।
ପ୍ରକଳ୍ପଗୁଡ଼ିକର କ୍ରିୟାନ୍ୱୟନର ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ରହୁଛି । ରାସ୍ତା, ବିଦ୍ୟୁତ ଏବଂ ପାନୀୟ ଜଳର ବାକି ଥିବା ପ୍ରକଳ୍ପଗୁଡ଼ିକୁ ଶେଷ କରିବାକୁ ସରକାରଙ୍କ ନିକଟରେ ଆବେଦନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।