ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିତଭାବେ ଉଚ୍ଛେଦ ଆରମ୍ଭ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ମଙ୍ଗଳବାର ସକାଳୁ ସାଲିଆ ସାହିରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ୧୩ କିଲୋମିଟର ବ୍ୟାପୀ ଘରଗୁଡ଼ିକୁ ଉଚ୍ଛେଦ କରାଯାଉଛି । ରାସ୍ତା ସଂପ୍ରସାରଣ ପାଇଁ ଏହି ଉଚ୍ଛେଦ କରାଯାଉଛି । ବୁଲଡୋଜର୍ ସାହାଯ୍ୟରେ ପ୍ରାୟ ୫୧୭ଟି ଘର ଭଙ୍ଗାଯିବ । ସେପଟେ ବସ୍ତି ବାସିନ୍ଦା ଉଚ୍ଛେଦ ପ୍ରକ୍ରିୟାକୁ ତୀବ୍ର ବିରୋଧ କରିଛନ୍ତି । କୋର୍ଟରେ ମାମଲା ବିଚାରଧୀନ ଥିବାରୁ କାହିଁକି ଉଚ୍ଛେଦ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ବସ୍ତି ବାସିନ୍ଦା ବୁଲଡୋଜର୍ ସାମ୍ନାରେ ବସିଛନ୍ତି । କିଛି ଲୋକଙ୍କୁ ପୋଲିସ ଉଠାଇ ନେଇଛି । ଆସନ୍ତା ୨୪ ତାରିଖ ଯାଏଁ ଘର ଭଙ୍ଗାଯିବ ।
ପୂର୍ବରୁ ମାସକ ତଳେ ପ୍ରାୟ ୫୦ଟି ଘର ଭଙ୍ଗା ଯାଇଥିଲା । ସେମାନଙ୍କୁ ବିଡ଼ିଓ ଏବଂ ବିଏମସି ପକ୍ଷରୁ ଥଇଥାନ କରାଯାଇଥିଲା ।