ଭୁବନେଶ୍ୱର: ସରକାରୀ ବ୍ୟବସ୍ଥାରେ ମାର୍ଚ୍ଚ ମାସ ସିଣ୍ଡ୍ରୋମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ଅର୍ଥକୁ ଶେଷ ସମୟରେ ତରବରିଆଭାବେ ବ୍ୟବହାର ନ କରି ଉଚିତ ସମୟରେ ବ୍ୟବହାର କରିବାକୁ ବିଭିନ୍ନା ବିଭାଗ ସହିତ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆଜି ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳୀନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହିତ ମାର୍ଚ୍ଚ ମାସ ସିଣ୍ଡ୍ରୋମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଶାସନ ବ୍ୟବସ୍ଥାର ବଡ଼ ସମସ୍ୟା ହେଉଛି ମାର୍ଚ୍ଚ ମାସ ସିଣ୍ଡ୍ରୋମ୍ । ବର୍ଷ ଆରମ୍ଭରୁ କଚ୍ଛପ ଗତିରେ କାମ କରିବେ, ଆଉ ବର୍ଷ ଶେଷ ବେଳକୁ ବିଜୁଳି ବେଗରେ ଖର୍ଚ୍ଚ କରିବେ । ଯେତେବେଳେ ବର୍ଷ ଶେଷ ହୋଇଆସେ ସେତେବେଳେ ସରକାରୀ ଅର୍ଥକୁ କିପରି ଖର୍ଚ୍ଚ କରିବେ ସେଥିପାଇଁ ତତ୍ପର ହୋଇପଡ଼ନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ସମସ୍ତ ଟଙ୍କା ଖର୍ଚ୍ଚ ହୋଇପାରେ ନାହିଁ । ସମସ୍ତ ବିଭାଗ ନଭେମ୍ବର ମାସ ଆଡ଼କୁ ଦ୍ରୁତ ଗତିରେ ସମସ୍ତ ଟଙ୍କା ପଠାଇବା ଆରମ୍ଭ କରନ୍ତି ଏବଂ ବିଜୁଳି ବେଗରେ ଖର୍ଚ୍ଚ କରିବାକୁ ଚାପ ପ୍ରୟୋଗ କରନ୍ତି । ଜିଲ୍ଲାପାଳମାନେ ମଧ୍ୟ ଚାପରେ ରୁହନ୍ତି । ଅଳ୍ପ ସମୟ ମଧ୍ୟରେ ଟଙ୍କା ଖର୍ଚ୍ଚ କରିବା ଅସମ୍ଭବ ହୋଇଥିବାରୁ ସେତେବେଳେ ଜିଲ୍ଲାପାଳମାନେ ବିଭିନ୍ନ ବିଭାଗକୁ ଟଙ୍କାକୁ ଠେଲି ଦିଅନ୍ତି ।
ସମସ୍ତ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ତୃଣମୂଳ ସ୍ତରରେ ପ୍ରତିଫଳିତ ହୋଇପାରେ ନାହିଁ । ଏହା ଦ୍ୱାରା କାମର ଗୁଣାବତ୍ତା ମଧ୍ୟ ହ୍ରାସ ପାଇଥାଏ । ଦଶନ୍ଧି ଦଶନ୍ଧି ଧରି ଚାଲିଆସିଥିବା ଏହି ପରମ୍ପରାରୁ ବାହାରିବାକୁ ମୁଖ୍ୟମନ୍ତ୍ରୀ ତାଗିଦ କରିଛନ୍ତି । ଫଳରେ ୨୦୩୬ସମୃଦ୍ଧ ଓଡ଼ିଶାର ଲକ୍ଷ୍ୟ ପୂରଣ ହୋଇପାରିବ ।
ମୁଖ୍ୟମନ୍ତ୍ରୀ ଗୋଦାବରୀଶ ମହାପାତ୍ର ଯୋଜନା, କନ୍ୟା ବିବାହ ଯୋଜନା, ଶ୍ରୀଜଗନ୍ନାଥ ଦର୍ଶନ ଭଳି ବିଭିନ୍ନ ଯୋଜନାର ଉଦାହରଣ ଦେଇଛନ୍ତି । ଯାହାକି ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରାଯାଉନାହିଁ । ସେଥିପାଇଁ ବିଭିନ୍ନ ବିଭାଗ ପ୍ରମୁଖ ଶାସନ ସଚିବ ଓ ଜିଲ୍ଲାପାଳମାନେ ତତ୍ପରତା ପ୍ରକାଶ କରିବାର ଆବଶ୍ୟକତା ରହିଛି । ବିଭିନ୍ନ ବିଭାଗର ଅଧା ରହିଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ତାକୁ ତୁରନ୍ତ କାର୍ଯ୍ୟକାର କରିବାକୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲାପାଳ ଏବଂ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।