ନୂଆଦିଲ୍ଲୀ: କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଏବେ ଦ୍ୱିତୀୟ ଟେଷ୍ଟ ଦଳ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି । ଏସବୁ ଭିତରେ ଟିମ୍ ଇଣ୍ଡିଆ ପାଇଁ ସବୁଠୁ ବଡ ଚିନ୍ତା ଅଧିନାୟକ ଶୁଭମନ ଗିଲଙ୍କ ଫିଟନେସ୍ । ଆହତ ହେବା କାରଣରୁ ସେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ରିଟାୟର୍ଡ ହଟ୍ ହୋଇଥିଲେ । ଆଉ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରି ପାରି ନ ଥିଲେ । ଏବେ ଗିଲଙ୍କ ଗୌହାଟୀରେ ଖେଳା ଯିବାକୁ ଥିବା ୨ୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି । ଯଦି ସେ ନ ଖେଳନ୍ତି ତେବେ ତାଙ୍କ ସ୍ଥାନରେ କିଏ ଖେଳିବ ? ଏହା ଏକ ବଡ ପ୍ରଶ୍ନ ।
ଶୁଭମନ ଗିଲ୍ ପ୍ରଥମ ଟେଷ୍ଟରେ ବ୍ୟାଟିଂ କରିବା ବେଳେ ଆହତ ହୋଇତିଲେ । ତାଙ୍କ ବେକରେ ଅସହ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ପରେ ତାଙ୍କୁ ପଡିଆରୁ ବାହାରକୁ ନିଆଯାଇଥିଲା । କିଛି ଦିନ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ତଥାପି ତାଙ୍କର ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି । ଯଦି ସେ ନ ଖେଳନ୍ତି ତାଙ୍କ ସ୍ଥାନରେ ଖେଳିବା ପାଇଁ ଭାରତ ପାଖରେ ୩ଟି ବିକଳ୍ପ ଖେଳାଳି ରହିଛନ୍ତି । ସ୍ୱାଭାବିକ ଭାବେ ଋଷଭ ପନ୍ତ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।
ବ୍ୟାଟିଂରେ ଗିଲଙ୍କ ବିକଳ୍ପ ଭାବେ ପ୍ରଥମରେ ଅଛନ୍ତି ସାଇ ସୁଦର୍ଶନ । ଦିଲ୍ଲୀ ଟେଷ୍ଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ୮୭ ରନ କରିଥିଲେ । ସାଇ ସୁଦର୍ଶନ ଏତେ ଅନୁଭବୀ ନ ଥିଲେ ହେଁ, ବର୍ତ୍ତମାନ ସେ କିଛିଟା ଫର୍ମରେ ଅଛନ୍ତି । ଦ୍ୱିତୀୟ ବିକଳ୍ପ ହେଉଛି ଦେବଦତ୍ତ ପାଡିକଲ । ଏହି ବାମହାତୀ ଖେଳାଳି ଭାରତୀୟ ଦଳ ଅଛନ୍ତି । ଘରୋଇ କ୍ରିକେଟରେ ସେ ବହୁତ ରନ କରିଛନ୍ତି । ତୃତୀୟ ବିକଳ୍ପ ଭାବେ ଅଛନ୍ତି ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ । ତେବେ ସାଇ ସୁଦର୍ଶନ ଓ ଦେବଦତ୍ତ ପାଡିକଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି ।
Also read: କାହା କହିବାରେ ପ୍ରସ୍ତୁତ ହୋଇଥିଲା କୋଲକାତା ପିଚ୍ ? ଖୁଲାସା କଲେ ଇଡେନ ଗାର୍ଡେନ୍ସର ପିଚ୍ କ୍ୟୁରେଟର