ଭୁବନେଶ୍ୱର: ଏଣିକି ପ୍ରସବବେଳେ ଅସ୍ତ୍ରୋପଚାର ଘରୋଇ ମେଡ଼ିକାଲଗୁଡ଼ିକ ପାଇଁ ଯେମିତି ବ୍ୟବସାୟକରଣ ହୋଇଯାଇଛି । ସରକାରୀ ମେଡ଼ିକାଲରେ କମ୍ ସଂଖ୍ୟାରେ ଅସ୍ତ୍ରୋପଚାର ହେଉଥିବାବେଳେ ଘରୋଇ ମେଡ଼ିକାଲରେ ମାତ୍ରାଧିକ ସଂଖ୍ୟାରେ ଅସ୍ତ୍ରୋପଚାର କରାଯାଉଛି । ଏହି ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ବିଧାନସଭାରେ ରଖିଥିବା ଉତ୍ତରରୁ ଏହା ସ୍ପଷ୍ଟ ବାରି ହୋଇପଡ଼ୁଛି ।
ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଉତ୍ତରରେ କହିଛନ୍ତି, ସରକାରୀ ମେଡ଼ିକାଲ ତୁଳନାରେ ଘରୋଇ ହସ୍ପିଟାଲ୍ରେ ପ୍ରସବଜନିତ ଅସ୍ତ୍ରୋପଚାର ଅଧିକ ରହିଛି । ୨୦୨୨-୨୩ ବର୍ଷରେ ଘରୋଇ ମେଡ଼ିକାଲରେ ୧, ୨୯, ୦୮୮ ପ୍ରସବ ହୋଇଥିବାବେଳେ ୯୯, ୯୮୯ଟି ଅସ୍ତ୍ରୋପଚାର ଜନିତ ଅଟେ । ଅର୍ଥାତ୍ ମୋଟ ପ୍ରସବର ୭୭.୪୬ % ଅସ୍ତ୍ରୋପଚାର ଜନିତ ଅଟେ । ଅନ୍ୟପକ୍ଷରେ ୨୦୨୨-୨୩ରେ ସରକାରୀ ମେଡ଼ିକାଲରେ ୬ ଲକ୍ଷ ୭୪୦ ପ୍ରସବରୁ ୧, ୮୩, ୪୪୩ଟି ପ୍ରସବ ଅସ୍ତ୍ରୋପଚାର ଜନିତ ଅଟେ । ଅର୍ଥାତ ୩୦.୫୩ % ଅଟେ । ଯଦି ମନ୍ତ୍ରୀଙ୍କ ତଥ୍ୟକୁ ଆମେ ତୁଳନା କରିବା ତେବେ ସରକାରୀ ମେଡ଼ିକାଲ ଅପେକ୍ଷା ଘରୋଇ ମେଡ଼ିକାଲରେ ୪୬.୯୩% ଅଧିକ ଅସ୍ତ୍ରୋପଚାର ହୋଇଛି ।
ସେହିପରି ୨୦୨୩-୨୪ରେ ଘରୋଇ ହସ୍ପିଟାଲ୍ରେ ମୋଟ ପ୍ରସବ ୧,୪୦,୧୨୬ ହୋଇଥିବାବେଳେ ସେଥିମଧ୍ୟରୁ ୧,୧୩,୫୯୮ ଅସ୍ତ୍ରୋପଚାର ଜନିତ ପ୍ରସବ ହୋଇଛି । ଅର୍ଥାତ ୨୦୨୩-୨୪ରେ ଅସ୍ତ୍ରୋପଚାରଜନିତ ପ୍ରସବ ହାର ୮୧.୦୬% ରହିଛି । ଅନ୍ୟପକ୍ଷରେ ସରକାରୀ ମେଡ଼ିକାଲରେ ୨୦୨୩-୨୪ରେ ୫,୯୧,୧୮୫ ପ୍ରସବ ହୋଇଥିବାବେଳେ ସେଥିମଧ୍ୟରୁ ମାତ୍ର ୧,୯୫,୫୭୮ ଅସ୍ତ୍ରୋପଚାର ଜନିତ ପ୍ରସବ ଅଟେ । ଅର୍ଥାତ ୨୦୨୩-୨୪ରେ ସରକାରୀ ମେଡ଼ିକାଲରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ୩୩.୦୮% ରହିଥିବା ମନ୍ତ୍ରୀ କହିଛନ୍ତି । ଯଦି ଏହାକୁ ଆମେ ତୁଳନା କରିବା ସମାନ ବର୍ଷରେ ସରକାରୀ ମେଡ଼ିକାଲରେ ଘରୋଇ ମେଡ଼ିକାଲ ତୁଳନାରେ ୩,୯୫,୫୮୦ଟି ପ୍ରସବ ଅଧିକ ହୋଇଥିବାବେଳେ ଅସ୍ତ୍ରୋପଚାର ବହୁତ କମ୍ ହୋଇଛି । ଘରୋଇ ମେଡ଼ିକାଲରେ ରୋଗୀ ସଂଖ୍ୟା କମ୍ ଥିବା ସତ୍ୱେ ସରକାରୀ ମେଡ଼ିକାଲ ତୁଳନାରେ ୪୭.୯୭ ପ୍ରତିଶତ ଅଧିକ ଅସ୍ତ୍ରୋପଚାର ପ୍ରସବ ହୋଇଛି ।