ଆସୁଛି ଆଉ ଏକ ଲଘୁଚାପ । ଏଥିପାଇଁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟରେ ସକ୍ରିୟ ହୋଇଛି । ଫଳରେ ୫ରୁ ୭ଦିନ ଜାରି ରହିବ ଲଗାଣ ବର୍ଷା ।
ସୂଚନା ଅନୁଯାୟୀ, ବୁଧବାର ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହି ଘୁର୍ଣ୍ଣିବଳୟ ଘନିଭୂତ ହୋଇ ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡ଼ିଶା ନିକଟରେ ସକ୍ରିୟ ହୋଇଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି ।
ଏଥିପାଇଁ ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ଆଜି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନାଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହେବା ସହିତ ଆସନ୍ତାକାଲି ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଝାଡ଼ଖଣ୍ଡ, ଛତିଶଗଡ଼ ଉପରେ ସୃଷ୍ଟି ଘୂର୍ଣ୍ଣିବଳୟ ସକ୍ରିୟ ଥିବା ଯୋଗୁଁ ଜାରି ରହିଛି ବର୍ଷା। ଏହି ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ।