ପୁରୀ: ଶ୍ରୀମନ୍ଦିର ରୋଷ ଘରେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମନ୍ଦିରର ୩ ଜଣ ସୁପକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ୩ ଜଣ ସୁପକାରଙ୍କୁ ଶ୍ରୀମନ୍ଦିର ପରିସର କିମ୍ବା ଶ୍ରୀମନ୍ଦିର ରୋଷ ଘରେ ପ୍ରବେଶ କରିବା ଉପରେ କଟକଣା ଜାରି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ପାଳିଆ ସେବକଙ୍କୁ ମହାପ୍ରଭୁଙ୍କ ସେବାରୁ ନିଲମ୍ବନ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।
ରୋଷ ଘରେ ଲୁହା କଡ଼େଇରେ ମହାପ୍ରସାଦ ପ୍ରସ୍ତୁତ କରାଯିବାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ୧୯୫୫ର ୨୧ - ଖ (କ) ଧାରା ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମହାପ୍ରଭୁଙ୍କ ସେବା ପୂଜାରେ କୌଣସି ପରମ୍ପରା ବହିର୍ଭୂତ କାର୍ଯ୍ୟ ତଥା ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ପାଢ଼ୀ କହିଛନ୍ତି । ଏହି କଟକଣାକୁ କାର୍ଯ୍ୟକାରୀ କରିବାକୁ ବିହିତ ପଦକ୍ଷେପ ନେବା ପାଇଁ ଶ୍ରୀମନ୍ଦିର କମାଣ୍ଡର ଓ ଦେଉଳ କରଣଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
ପ୍ରକାଶ ଥାଉକି, ସେପ୍ଟେମ୍ବର ୧୨ ତାରିଖରେ ଶ୍ରୀମନ୍ଦିର ରୋଷ ଘରେ ଲୁହା କଡ଼େଇ ବ୍ୟବହାର କରାଯିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାର ତଦନ୍ତ କରିବା ସହ କଡ଼େଇ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ, ରୋଷପାଇକ ନିଯୋଗର ସମ୍ପାଦକ ଓ ରୋଷ ଅମୀନଙ୍କୁ ତୁରନ୍ତ ରୋଷ ଘର ପରିଦର୍ଶନ କରି କଡ଼େଇ ଜବତ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟ ପ୍ରଶାସକ ।