ବାଲେଶ୍ୱର: ରାସ୍ତା ନିର୍ମାଣରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ନେଇ ହୋଇଛି ସଙ୍ଗୀନ ଅଭିଯୋଗ । ବିଭାଗୀୟ ଅଧିକାରୀ ପହଂଚି ବ୍ୟବହାର ହେଉଥିବା ସାମଗ୍ରୀକୁ ଅନୁଧ୍ୟାନ କରିବା ରିପୋର୍ଟ ନ ଦେଲା ପର୍ଯ୍ୟନ୍ତ ରାସ୍ତା କାମ ହୋଇ ପାରିବ ନାହିଁ ବୋଲି ସଫା ସଫା କହି ଦେଇଛନ୍ତି ସ୍ଥାନୀୟ ଯୁବକ ।
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ପଂଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ପ୍ରଶସ୍ତିକରଣ କାମ ଚାଲିଥିଲା । ଏହି ସମୟରେ ଦିଲ୍ଲୀପ ପଣ୍ଡା ନାମକ ଜଣେ ଯୁବକ ହଠାତ୍ ଆସି ରାସ୍ତା କାମକୁ ବନ୍ଦ କରି ଦେଇଥିଲେ । ରାସ୍ତା କାମରେ ବାଲି ଓ ସିମେଣ୍ଟ ବ୍ୟବହାର କରାଯାଉଛି ତାହା ନିମ୍ନ ମାନର ବୋଲି ଯୁବକ ଜଣକ ଅଭିଯୋଗ କରିଛନ୍ତି । ରାସ୍ତା କାମରେ ଭଲ ବାଲି ବ୍ୟବହାର କରିବା ବଦଳରେ ଠିକାଦାର ନିକଟରେ ମିଳୁଥିବା ଲୁଣି ଏବଂ ସରୁ ବାଲି ବ୍ୟବହାର କରୁଛନ୍ତି। ଖାଲି ସେତିକି ନୁହେଁ ବରଂ ଯେଉଁ ସିମେଣ୍ଟ ବ୍ୟବହାର କରାଯାଉଛି ତାହା ମଧ୍ୟ ସଠିକ ମାନର ନୁହେଁ । ତେଣୁ ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଂଚି ବ୍ୟବହାର ହେଉଥିବା ବାଲି ଓ ସିମେଣ୍ଟକୁ ଅନୁଧ୍ୟାନ କରିବା ପରେ କାମ ଆରମ୍ଭ ହେବ ବୋଲି ଯୁବକ ଜଣକ କହିଛନ୍ତି । ସରକାର ସଠିକ କାମ ପାଇଁ ପୁଳା ପୁଳା ଟଙ୍କା ଦେଉଥିବା ବେଳେ ଠିକାଦାରମାନେ ନିଜ ମନମାନୀରେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରି ଟଙ୍କା ହଡପ କରିବା ପାଇଁ ମସୁଧା କରୁଛନ୍ତି ବୋଲି କହିଛନ୍ତି ଦିଲ୍ଲୀପ ।