ଖୁବ ଶୀଘ୍ର ଓଡି଼ଶାରେ ଗଡ଼ିବାକୁ ଯାଉଛି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍। ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ଏହାର ଉଦ୍ଘାଟନ କରିବେ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ବରରୁ ବିଶାଖାପାଟଣା ଚଳାଚଳ କରିବ ବୋଲି ସୂଚନା ମିଳିଥିବା ବେଳେ ଏହା ପୂର୍ବରୁ ଶୁକ୍ରବାର ଏହି ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଛି। ତେବେ ଏହି ଟ୍ରେନ ଭୁବନେଶ୍ବରରୁ ସକାଳ ସାଢେ ୫ଟାରେ ଯାତ୍ରା ଆରମ୍ଭ କରି ନିର୍ଦ୍ଧାରିତ ସମୟ ଭିତରେ ବିଶାଖାପଟଣାରେ ପହଂଚିଥିଲା ଏବଂ ନିର୍ଦ୍ଧରିତ ସମୟ ଭିତରେ ଆସି ଭୁବନେଶ୍ବରରେ ପହଂଚିଥିଲା।
ଆସନ୍ତା ୧୨ରେ ଉଦ୍ଘାଟିତ ହେବାକୁ ଥିବା ଏହି ଟ୍ରେନ ରେ ୮ଟି କୋଚ୍ ଥିବା ବେଳେ ଏହା ସୋମବାର ବ୍ୟତିତ ଅନ୍ୟ ସମସ୍ତ ଦିନରେ ଚଳାଚଳ କରିବ। ଏପର୍ଯ୍ୟନ୍ତ ଏହି ଟ୍ରେନର ସମୟ ସାରଣୀ ଚୂଡାନ୍ତ ହୋଇ ନ ଥିଲେ ମଧ୍ୟ ଏହା ଭୁବନେଶ୍ବର, ଖୋର୍ଦ୍ଧା ରୋଡ୍, ବିଜୟନଗରମ୍, ବିଶାଖାପାଟଣାରେ ରହଣି କରିବ। ତେବେ ଯାତ୍ରା ସମୟରେ ଟ୍ରେନର ବେଗ ଘଣ୍ଟାପ୍ରତି ୭୭ କିମି ରହିବ ବୋଲି ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ସେପ୍ଟେମ୍ବର ୨୨ରେ ନରେନ୍ଦ୍ର ମୋଦି ଓଡ଼ିଶାରେ ଦ୍ଵିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଥିଲା ବେଳେ ଏହା ପୁରୀକୁ ଇସ୍ପାତ ନଗରୀ ରାଉରକେଲା ସହିତ ସଂଯୋଗ କରିବାରେ ସଫଳ ହୋଇଛି। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରୁଛି ଏବଂ ଶନିବାର ବ୍ୟତୀତ ସପ୍ତାହରେ ଛଅ ଦିନ ଚାଲୁଛି ।
ଏହି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନରେ ଯାତ୍ରୀମାନଙ୍କ ପାଇଁ ଅଧିକ ଉନ୍ନତ ମାନର ସୁବିଧା ରହିଥିବା ବେଳେ ଏହା ଉପକୂଳ, ମଧ୍ୟ ଏବଂ ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକୁ ସଂଯୋଗ କରିବ। ଏହା ସହ ଉପକୂଳ ଏବଂ ପଶ୍ଚିମ ଓଡ଼ିଶା ଅଞ୍ଚଳର ଲୋକଙ୍କ ସୁଗମ, ନିରାପଦ ଟ୍ରେନ୍ ଯାତ୍ରା କରିବାର ସ୍ୱପ୍ନ ସାକାର ହେବ।
ଅଧିକ ପଢନ୍ତୁ: ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଗଣତି: ଆଜି ବୈଠକ