ଗତ ଗୁରୁବାର ଠାରୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ତଥା ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ଯକ୍ଷ ଅରିଜିତ ପଶାୟତ। ପଶାୟତଙ୍କର ଏହି ଗସ୍ତ ସମୟରେ ରତ୍ନଭଣ୍ଡାର ଓ କଳାଧନ ନେଇସମ୍ପର୍କିତ ବୈଠକରେ ସମୀକ୍ଷା କରିବାର ଯୋଜନା ରହିଛି।
ସୂଚନାଯୋଗ୍ୟ ଯେ, ଡକ୍ଟର ଜଷ୍ଟିସ ଅରିଜିତ ପଶାୟତ କଳାଧନ ସମ୍ପର୍କିତ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଅଟନ୍ତି। ଗୁରୁବାର ଭୁବନେଶ୍ବରରେ ପହଞ୍ଚିବା ପରେ ପଶାୟତ ଶୁକ୍ରବାର ସକାଳୁ ପୁରୀ ଗସ୍ତରେ ଯାଇ ପୂର୍ବାହ୍ନ ପ୍ରାୟ ୧୧ଟାରେ ଜଗନ୍ନାଥଙ୍କ ଦର୍ଶନ କରିବା ସହ ଦିନ ୨ ଟା ବେଳେ ପୁରୀ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ରତ୍ନଭଣ୍ଡାର ତଦାରଖ କମିଟିର ବୈଠକରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରତ୍ନ ଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହେବ।
ରତ୍ନଭଣ୍ଡାର ତଦାରଖ କମିଟିରେ ଶ୍ରୀଯୁକ୍ତ ପଶାୟତଙ୍କ ସମେତ ଅନ୍ୟ ୧୨ ଜଣ ସଦସ୍ୟ ରହିଛନ୍ତି। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ତେବେ ଏହି କମିଟିରେ ଉପାଧ୍ୟକ୍ଷ ଭାବେ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡ. ରମାକାନ୍ତ ପଣ୍ଡା, ଆଲ୍ଲାହାବାଦ ବ୍ୟାଙ୍କର ପୂର୍ବତନ ସମଦ ଡ. ବିଧୁଭୁଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଏ.କେ. ସାବତ ,ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ , ASIର ପ୍ରତିନିଧି ଶ୍ରୀ ଦୁର୍ଗାପ୍ରସାଦ ଦାସ ମହାପାତ୍ର, ସେବକ ପ୍ରତିନିଧି ଶ୍ରୀ ମାଧବ ଚନ୍ଦ୍ର ମହାପାତ୍ର, ଶ୍ରୀ ଜଗନ୍ନାଥ କର, ଶ୍ରୀ ଗଣେଶ ମେକାପ ଏବଂ ପୁରୀ ଜିଲ୍ଲାପାଳ ତଥା ଶ୍ରୀ ଜଗନ୍ନାଥ ମନ୍ଦିର ର ଉପମୁଖ୍ୟ ପ୍ରଶାସକ ଅଛନ୍ତି।
ସେହିପରି ୧୧ ତାରିଖ ୧୧ଟା ସମୟରେ କଟକରେ ସେ କଳାଧନ ସମ୍ପର୍କିତ ଏକ ସ୍ବତନ୍ତ୍ର ବୈଠକରେ ସାମିଲ ହେବେ। ତେବେ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ବୈଠକରେ ୨୦୨୪ ସାଧାରଣ ନିର୍ବାଚନରେ କଳାଟଙ୍କା ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ତଥ୍ୟ ରଖାଯିବ।
ଅଧିକ ପଢନ୍ତୁ: ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ