ଭୁବନେଶ୍ୱର: ୟୁଜିସିର ବିନା ଅନୁମତିରେ ଲୋଗୋ ବ୍ୟବହାର କଲେ ପଡିବ ମହଙ୍ଗା । ୟୁଜିସିର ଲୋଗୋ କିମ୍ବା ନାମକୁ ଅନଧିକୃତ ଭାବେ ବ୍ୟବହାର କରୁଥିଲେ ଏବେଠୁ ସାବଧାନ ହୁଅନ୍ତୁ। ଏପରି କାର୍ଯ୍ୟ କଲେ ଉକ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତି ବିଶେଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶନିବାର ଏପରି କଡ଼ା ଚେତାବନୀ ୟୁଜିସି ପକ୍ଷରୁ ଦିଆଯାଇଛି ।
ୟୁଜିସି ପକ୍ଷରୁ ଚିଠି ମାଧ୍ୟମରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ୟୁଜିସିର ଲୋଗୋ ଏବଂ ନାମକୁ ଅନେକ ସମୟରେ ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ଅନଧିକୃତ ଭାବେ ବ୍ୟବହାର କରୁଛନ୍ତି। ୟୁଜିସି ନିକଟକୁ ଏମିତି ଅନେକ ଅଭିଯୋଗ ଆସିଛି। ଯେଉଁଥିରେ କିଛି ଅସାଧୁ ବ୍ୟକ୍ତି, ଶିକ୍ଷାନୁଷ୍ଠାନ ୟୁଜିସିର ବିନା ଅନୁମୋଦନରେ ୟୁଜିସିର ଲୋଗୋ ବ୍ୟବହାର କରିଛନ୍ତି । ଏଥିରେ ବିଭିନ୍ନ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି । ଏଥିରେ ୟୁଜିସିର ଛବି ମଳିନ ହେଉଛି।
ୟୁଜିସି ନାମକୁ ବ୍ୟବହାର କରାଯାଇ ବିଭିନ୍ନ ପାଠ୍ୟକ୍ରମ, ନାମଲେଖା ସଂପର୍କିତ ତଥ୍ୟ ପ୍ରଦାନ କରୁଛନ୍ତି । ଯାହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। । ଆଗକୁ ଏପରି ନକରିବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ଏପରି ବିଶୃଙ୍ଖଳା ଦେଖିବାକୁ ମିଳେ, ଟ୍ରେଡ୍ ମାର୍କ ଆକ୍ଟ ଉଲ୍ଲଙ୍ଘନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।