ନବରଙ୍ଗପୁର : ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର। 108 ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଜଙ୍ଗଲରେ କାଠ ଆଣିବାକୁ ଯାଇଥିବା ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଯୁବକ। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋଇଦଲପୁର ପଞ୍ଚାୟତ ଛଟାଗୁଡା ଜଙ୍ଗଲରେ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଶନିବାର ସକାଳେ ଛଟାଗୁଡା ଗ୍ରାମର ତଇଲ ଯାନୀ ଗାଁ ନିକଟ ଜଙ୍ଗଲରେ କାଠ ଆଣିବାକୁ ଯାଇଥିଲେ। ହଠାତ ସେହି ସମୟରେ ତିନୋଟି ଭାଲୁ ତାଙ୍କ ସାମ୍ନାକୁ ଚାଲି ଆସିଥିଲେ ଓ ଗୋଟିଏ ଭାଲୁ ତାଙ୍କ ବାମ ହାତକୁ ଆକ୍ରମଣ କରିଥିଲା। ତେବେ ନିଜକୁ ବଞ୍ଚାଇବା ପାଇଁ ତଇଲ ଯାନୀ ଅନ୍ୟ ହାତରେ ଧରିଥିବା ଟାଙ୍ଗିଆ ଦ୍ୱାରା ଭାଲୁକୁ ଆକ୍ରମଣ କରିଥିଲେ। ଯାହାଫଳରେ ଭାଲୁ ଗୁଡିକ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ତେବେ ଭାଲୁ ଆକ୍ରମଣ ଫଳରେ ତଇଲ ଯାନୀ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ତଇଲଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।