ଢେଙ୍କାନାଳ : ଶେଷ ହୋଇଛି ଢ଼େଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଆଜି ମେଲାଣି ନେଉଛନ୍ତି ମା ପଦ୍ମାଳୟା । ଦୀର୍ଘ ୧୧ଦିନ ଧରି ପୂଜା ପରେ ଆଜି ମା’ଙ୍କୁ ବିଦାୟ ଦେବେ ଢ଼େଙ୍କାନାଳବାସୀ । ଏଥିପାଇଁ ସମସ୍ତ ପୂଜା କମିଟି ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।
ଚଳିତବର୍ଷ ମୋଟ ୩୮ଟି ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜା ହୋଇଥିଲା। ମଉଡମଣୀ ବଜାର ଭାବେ ପରିଚିତ ମୀନା ବଜାର ନିକଟରେ ଜିଲ୍ଲାପାଳ ଏସପି ପହଞ୍ଚି ଶ୍ରୀଫଳ ଭାଙ୍ଗି ଭସାଣ ଉତ୍ସବ ଉଦଘାଟନ କରିଥିଲେ। ପରମ୍ପରା ଅନୁସାରେ ମେଢ଼ ଗୁଡ଼ିକ ସ୍ଥାନୀୟ ରାଜାନଅରଠାରେ ଏକାଠି ହୋଇ ଏହା ପରେ ଶୋଭାଯାତ୍ରାରେ ସାମିଲ ହୋଇ ଭସାଣି ପାଇଁ କାଠ ଶଙ୍ଖ ଅଭିମୁଖେ ବାହାରିଥିଲେ । ଭଷାଣି ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସହରରେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶୋଭାଯାତ୍ରାରେ ଡିଜେ ଉପରେ କଟକଣା ରହିଛି । ରାଜ୍ୟ ତଥା ରାଜ୍ୟ ବାହାର ଆସାମ ଛତିଶଗଡ଼ ଆନ୍ଧ୍ର ପ୍ରଦେଶ ମଧ୍ୟ ପ୍ରଦେଶ ଭଳି ରାଜ୍ୟରୁ ଅନେକ ପାରମ୍ପରିକ ବାଦ୍ୟ ଓ ଅତ୍ୟାଧୁନିକ ବାଜା, ବାଜଣା ସାଙ୍ଗକୁ ନାଚଗୀତରେ ମିଳିତ ଭସାଣ ଶୋଭାଯାତ୍ରାରେ ମା' ଙ୍କୁ ମେଲାଣି ଦିଆଯାଉଛି । କାଠ ଶଙ୍ଖ,ଜେଲ ପୋଖରୀ, ଝାଉଁଳି ପୋଖରୀ,କୁଞ୍ଜକାନ୍ତ ପୋଖରୀ ଓ ସିମିଳିଆ ଦୟା ସାଗର ଭଳି ପାଞ୍ଚୋଟି ଜଳାଶୟରେ ମୂର୍ତ୍ତି ବିସର୍ଜନ କରାଯିବ। ରାତି ୧୨ ଟା ସୁଦ୍ଧା ସମସ୍ତ ମେଢ ବିସର୍ଜନ ପାଇଁ ଲକ୍ଷ୍ୟ ରଖାଯାଇଛି ।