ବଲାଙ୍ଗିର ପୁଇଁତଲା ଥାନା ତଣ୍ଡାମୁଣ୍ଡା ଘାଟି ଜଙ୍ଗଲ ଭିତରୁ ତଂଟି କଟା ଅବସ୍ଥାରେ ଦୁଇଜଣ ଯୁବକ ଯୁବତୀଙ୍କର ମୃତ ଦେହ ଉଦ୍ଧାର ଘଟଣାକୁ ନେଇ ଅନେକ ଦିଗ ଆସିଥିବା ବେଳେ ମୃତ ଯୁବକ ଯୁବତୀ ଝାରଖଣ୍ଡ ଅଂଚଳର ବୋଲି ସ୍ପଷ୍ଟ ହୋଇଯାଇଛି। ଏପରିକି ମୃତ ଯୁବକ ଜଣକ ଜାଭେଦ୍ ଓ ସେ ମୁସଲ୍ମାନ୍ ସଂପ୍ରଦାୟର ଏବଂ ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ପଲକ୍ ମିଶ୍ରା ହିନ୍ଦୁ ସଂପ୍ରଦାୟର ବୋଲି ସେମାନଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।
ଶନିବାର ସଂଧ୍ୟାରେ ଉଭୟ ପରିବାରର ସଦସ୍ୟମାନେ ଆସି ଯୁବକ ଯୁବତୀଙ୍କ ଶବ ଚିହ୍ନଟ କରିଥିବା ବେଳେ ଆଇନ ଅନୁସାରେ ଯୁବକ ଯୁବତୀଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ସବୁଠାରୁ ବଡ଼ କଥା ହେଲା ଏହି ଘଟଣାରେ ଅନେକ ଦିଗ ଛନ୍ଦି ହୋଇ ରହିଥିବା ସାଧାରଣରେ ଆଲୋଚନା ହେଉଛି। କାରଣ ମୃତ ଯୁବକ ଯୁବତୀ ଦୁହେଁ ବେଆଇନ୍ ଡ୍ରଗ୍ସ ଚୋରା ଚାଲାଣ କାରବାରରେ ସଂପୃକ୍ତ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ବ୍ୟବହୃତ ଏକ କାର୍ ମଧ୍ୟ ପୋଲିସ ଜବତ୍ କରି ସାରିଛି କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ସଦସ୍ୟ ଗଣମାଧ୍ୟମ ଆଗରେ ସେମାନେ ମୃତକମାନଙ୍କ ହତ୍ୟାକାଣ୍ଡର ଉଚିତ୍ ତଦନ୍ତ ଦାବି କରି ନଥିବା ବେଳେ ମୃତକ ଦୁହେଁ ବାରମ୍ବାର ବଲାଙ୍ଗିରକୁ ବୁଲିବାକୁ ଆସୁଥିବା କହିଛନ୍ତି।
ସେମାନେ କାହିଁକି ବୁଲିବାକୁ ଆସୁଥିଲେ, ସେମାନଙ୍କ ମଧ୍ୟରେ କ’ଣ ସଂପର୍କ ରହିଥିଲା, କାହିଁକି ସେମାନେ ହତ୍ୟାକାଣ୍ଡର ଶିକାର ହେଲେ, କେଉଁ ପରିସ୍ଥିତିରେ ନିଛାଟିଆ ଜଙ୍ଗଲ ଭିତରେ ଦୁହେଁ ହତ୍ୟାକାରୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି... ଏଭଳି ଅନେକ ପ୍ରଶ୍ନ ଏବେ ଘଟଣାରେ ଛନ୍ଦି ହୋଇ ରହିଥିବା ଆଲୋଚନା ହେଉଛି। ତେବେ ଖୁବ୍ଶୀଘ୍ର ବଲାଙ୍ଗିର ପୋଲିସ ସଂପୃକ୍ତ ବହୁଚର୍ଚ୍ଚିତ ନୃଶଂସ ହତ୍ୟାକାଣ୍ଡର ଖୁଲାସା କରିବ ବୋଲି ସୂଚନା ଦେଇଛି।