ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ) ମଧ୍ୟରେ ମତଭେଦ ରହିଛି । ଦୁଇ ସଂଗଠନ ମଧ୍ୟରେ ସଂପର୍କ ବିଗିଡିବାରେ ଲାଗିଛି । ବିରୋଧୀଙ୍କ ଏହି ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛି ଆରଏସଏସ । ଆରଏସଏସର ସାଧାରଣ ସଂପାଦକ ଦତ୍ତାତ୍ରେୟ ହୋସବୋଲେ ଶନିବାର କହିଛନ୍ତି, ଏମିତି କୌଣସି କଥା ନାହିଁ । ଦୁଇ ସଂଗଠନ ଏକ ବଡ ପରିବାର । ଉଭୟଙ୍କ ମଧ୍ୟରେ ଏକତା କାଏମ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଆରଏସଏସ ଓ ବିଜେପି ମଧ୍ୟରେ କୌଣସି ବି ଅସହମତି ରହିଛି ତାହାକୁ ପାରିବାରିକ ଓ ସଂଗଠନସ୍ତରରେ ସମ୍ଭାଳାଯିବ ।
ଏପ୍ରିଲ-ଜୁନ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନକୁ ଇସାରା କରି ହୋସବୋଲେ କହିଛନ୍ତି, ଏମିତି ପ୍ରସଙ୍ଗକୁ ସାର୍ବଜନୀନ ମଞ୍ଚରେ କହିବାର ଆବଶ୍ୟକତା ନାହିଁ । ଆମେ ଗୋଟିଏ ପରିବାରର ଅଂଶ । ଏହାକୁ ନିଜ ଭିତରେ ସଂଶୋଧନ କରାଯିବା ଉଚିତ୍ । ସେ ଏହାର ଖୁଲାସା କରିଛନ୍ତି ଯେ, ଜେପି ନଡ୍ଡା ନିଜର ଟିପ୍ପଣୀ କରିବା ପରେ ପରେ ତାଙ୍କ ବାସଭବନରେ ସାକ୍ଷାତ ହୋଇଥିଲା ଏବଂ ଉଭୟ ମିଶି କି ଭୋଜନ କରିଥିଲେ । ହୋସବୋଲେ ଦୁଇ ସଂଗଠନ ମଧ୍ୟରେ କୌଣସି ପ୍ରକାରର ତିକ୍ତତାକୁ ଖଣ୍ଡନ କରିଛନ୍ତି ।
ଆରଏସଏସ ଓ ବିଜେପି ମଧ୍ୟରେ ରାଜନୈତିକ ବିଭାଜନକୁ ନେଇ ଜାରି ଚର୍ଚ୍ଚା ମଧ୍ୟରେ ହୋସବୋଲେଙ୍କ ଏହି ବୟାନ ସାମ୍ନାକୁ ଆସିଛି । ହୋସବୋଲେଙ୍କ ଅନୁସାରେ ଦୁଇ ସଂଗଠନ ମଧ୍ୟରେ ସଂପର୍କ ନିର୍ଭରତା ନୁହେଁ ବରଂ ଆତ୍ମ ନିର୍ଭରତାର । ପ୍ରତ୍ୟେକଙ୍କୁ ଲକ୍ଷ୍ୟପ୍ରାପ୍ତି ସହ ରାଷ୍ଟ୍ରୀୟ ହିତରେ ନୟୋଜିତ କରିବା ସହ ନିଜ ଗୋଡରେ ଛିଡା ହେବା ଉଚିତ୍ ।