ଅମରାବତୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ଓ ତାଙ୍କ ଭଉଣୀ ୱାଇଏସ ଶର୍ମିଲାଙ୍କ ମଧ୍ୟରେ ସଂପତ୍ତି କୁ ନେଇ ବିବାଦ ଘନେଇବାରେ ଲାଗିଛି । ଶର୍ମିଲା କହିଛନ୍ତି, ଜଗନ ମୋହନ ରେଡ୍ଡୀ ପାରିବାରିକ ସଂପତ୍ତିର ଏକ ମାତ୍ର ଉତ୍ତରାଧିକାରୀ ନୁହନ୍ତି । ପିତା ୱାଇଏସ ରାଜଶେଖର ରେଡ୍ଡୀ ଥିବା ସମୟରେ କିମ୍ବା ତାଙ୍କ ନିଧନ ପରେ କୌଣସି ସଂପତ୍ତିର ହସ୍ତାନ୍ତର ହୋଇ ନାହିଁ ।
ସେ କହିଛନ୍ତି, ମୋ ପାଖରେ ଏ ପର୍ଯ୍ୟନ୍ତ କୌଣସି ସଂପତ୍ତି ନାହିଁ । ଜଗନ ମୋହନ ରେଡ୍ଡୀ ପାରିବାରିକ ସଂପତ୍ତିର ଏକ ମାତ୍ର ଉତ୍ତରାଧିକାରୀ ନୁହନ୍ତି । ବାପାଙ୍କ ଇଚ୍ଛା ଥିଲା ପରିବାରର ସବୁ ବ୍ୟବସାୟକୁ ଚାରି ନାତି ନାତୁଣୀଙ୍କ ମଧ୍ୟରେ ମାନ ଭାବେ ବଣ୍ଟା ଯାଉ । ସେ କେବଳ ଜଗନ ମୋହନ ରେଡ୍ଡୀ ନୁହନ୍ତି, ସେ କେବଳ ଜଣେ ଅଭିଭାବକ । ଜଗନଙ୍କ ଚାରି ନାତି ନାତୁଣୀଙ୍କ ମଧ୍ୟରେ ସମାନ ଭାବେ ସଂପତ୍ତି ବାଣ୍ଟିବାର ଦାୟିତ୍ୱ ରହିଛି ।
ଶର୍ମିଲା ନିଜର ଏହି ପ୍ରତିକ୍ରିୟା ତେଲୁଗୁର ଦୈନିକ ଖବର କାଗଜ ସାକ୍ଷୀକୁ ଦେଇଥିଲେ । ସାକ୍ଷୀ ଖବରକାଗଜ ଉପରେ ଜଗନ ମୋହନ ରେଡ୍ଡୀଙ୍କ ମାଲିକାନାରେ ରହିଛି । ଶର୍ମିଲା କହିଛନ୍ତି, ତଥ୍ୟ ସହ ହେରଫେର କରାଯାଇଛି । ସତକୁ ଲୁଚା ଯାଇଛି । ଏସବୁ ଠିକ୍ କରିବା ଏବଂ ସମାନ ସଂପତ୍ତି ବଣ୍ଟନଙ୍କ ଦାୟିତ୍ୱ ଜଗନଙ୍କର ରହିଛି ।
ଶର୍ମିଲା କହିଛନ୍ତି ଯେ, ୱାଇଏସଙ୍କ ଜୀବିତ ଅବସ୍ଥାରେ ସଂପତ୍ତିର ବଣ୍ଟନ ହୋଇଥିବା ଖବର ମିଛ ଅଟେ । ଜଗନ ମୋହନ ଯେଉଁ ସଂପତ୍ତିକୁ ନିଜର ବୋଲି କହୁଛନ୍ତି ତାହା ପାରିବାରିକ ସଂପତ୍ତି । ମାଆ ୱାଇଏସ ବିଜୟମ୍ମା ସଂପତ୍ତିକୁ ନେଇ ଶତାଧିକ ଚିଠି ଲେଖି ସାରିଛନ୍ତି । ତଥାପି ଏ ପର୍ଯ୍ୟନ୍ତ ମୋ ପିଲାମାନଙ୍କିୁ ସଂପତ୍ତି ମିଳିନାହିଁ ।
୨୦୦୯ରୁ ୨୦୧୯ ମଧ୍ୟରେ ୨୦୦ କୋଟି ଟଙ୍କା ଦେବା କଥା କହୁଥିବା ଜଗନ ମୋହନ ରେଡ୍ଡୀ ସେ ସମୟରେ ଭିନ୍ନ ମଣିଷ ଥିଲେ । ୧୦ ବର୍ଷରେ ୨୦୦ କୋଟି ଟଙ୍କା କମ୍ପାନିରୁ ମିଳୁଥିବା ଲାଭାଂଶର ଅଧା ହେବ । ଏଥିରୁ ସ୍ପଷ୍ଟ ଯେ, କମ୍ପାନିର ସେୟାରରେ ମଧ୍ୟ ସମସ୍ତଙ୍କର ସମାନ ଭାଗ ରହିଛି । ଏହା କାହା ପ୍ରତି କୌଣସି ଉପହାର କି ଦୟାଭାବ ନୁହେଁ । ସଭିଙ୍କ ଏହା ଉପରେ ବରାବର ଭାଗ ଥିବା ଶର୍ମିଲା କହିଛନ୍ତି ।