ନୂଆଦିଲ୍ଲୀ: ସଂପ୍ରତି ବିମାନକୁ ବୋମା ଧମକ ଦେବା ଘଟଣା ବଢିବାରେ ଲାଗିଛି । ଏହା ବିମାନ ଚଳାଚଳକୁ ଗୁରୁତର ପ୍ରଭାବିତ କରୁଛି । ଏହାକୁ ନେଇ ଆଡଭାଇଜରି ଜାରି କରିଛନ୍ତି ଭାରତ ସରକାର। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଶନିବାର ଏୟାରଲାଇନ୍ସ କମ୍ପାନୀଗୁଡିକୁ ପ୍ରତି ଦିନ ମିଳୁଥିବା ବୋମା ଧମକ ଗୁଜବ ସମ୍ପର୍କରେ ଏକ ଆଡଭାଇଜରି ଜାରି କରିଛନ୍ତି। କେନ୍ଦ୍ର ସରକାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ମେଟା ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଏ ଦିଗରେ ସହାୟତା ଲୋଡିଛନ୍ତି।
ଆଇଟି ମନ୍ତ୍ରଣାଳୟ କହିଛି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ୨୦୨୧ ଆଇଟି ନିୟମ ଅନୁଯାୟୀ ଗୁଜବ ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପଡିବ, ଯାହା ଦ୍ୱାରା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବନି । ଏମିତି ଏକ ପ୍ରଣାଳୀ ବିକଶିତ କରିବାକୁ କୁହାଯାଇଛି ଯେଉଁଠି ଗୁଜବକୁ ଯଥାଶୀଘ୍ର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ହଟାଯାଇ ପାରିବ ।
ମନ୍ତ୍ରଣାଳୟ କହିଛି ଯେ, ଏହି ପରିପ୍ରେକ୍ଷୀରେ ଏହା ମନେ ରଖିବା ଉଚିତ ଯେ ସୋସିଆଲ ମିଡିଆ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ-୨୦୦୦ (ଆଇଟି ଆକ୍ଟ) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟସ୍ଥି ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଆଚରଣ ସଂହିତା) ଆଇଟି-୨୦୨୧ ନିୟମ ଦ୍ୱାରା ପରିଚାଳିତ। ଏହା ଅନୁସାରେ, ଏପରି ଭୁଲ ତଥ୍ୟକୁ ତୁରନ୍ତ ହଟାଇବା ସମସ୍ତ ପ୍ଲାଟଫର୍ମର ଦାୟିତ୍ୱ ଅଟେ। ଯାହା ରାଜ୍ୟର ଆଇନ ଶୃଙ୍ଖଳା ତଥା ସୁରକ୍ଷା ଉପରେ ପ୍ରଭାବ ପକାଇଥାଏ। ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ କୁହାଯାଇଛି ।
ଗତ କିଛି ଦିନ ଧରି ବିମାନଗୁଡ଼ିକୁ ବୋମା ଧମକ ଥମିବାର ନାଁ ଧରୁ ନାହିଁ । ଗତ ୮ ଦିନରେ ୯୦ରୁ ଅଧିକ ଘରୋଇ ଏବଂ ଅନ୍ତରାଷ୍ଟ୍ରୀୟ ବିମାନକୁ ବୋମା ଧମକ ଘଟଣାରେ ଦିଲ୍ଲୀ ପୋଲିସ ଏଫଆଇଆର୍ ରୁଜୁ କରିଛି । ଯେଉଁ ବିମାନଗୁଡ଼ିକୁ ଧମକ ମିଳିଛି, ସେଥିରେ ଅକାସା, ଏୟାର ଇଣ୍ଡିଆ, ଇଣ୍ଡିଗୋ ଏବଂ ଭିସ୍ତାରାର ବିମାନ ସାମିଲ ରହିଛି । ଏପରିକି ଭୁବନେଶ୍ୱର ଓ ଝାରସୁଗୁଡା ବିମାନ ବନ୍ଦରକୁ ମଧ୍ୟ ଧମକ ମିଳିଛି ।