ଗୁରୁଗ୍ରାମ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ଉପକଣ୍ଠ ଗୁରୁଗ୍ରାମ ଅଞ୍ଚଳ ସେକ୍ଟର-୧୦ ସ୍ଥିତ ସରସ୍ୱତୀ ଏନକ୍ଲେଭରେ ଶୁକ୍ରବାର-ଶନିବାର ବିଳମ୍ବିତ ରାତିରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏକ ଘରେ ଅଗ୍ନିକାଣ୍ଡ ଘଟିଛି। ଏହି ଅପ୍ରୀତିକର ଦୁର୍ଘଟଣାରେ ୪ ଜଣ ଯୁବକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର ଟିମ୍ ୪ଟି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।
ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଳମ୍ବିତ ରାତିରେ ସେକ୍ଟର-୧୦ ସ୍ଥିତ ସରସ୍ୱତୀ ଏନକ୍ଲେଭରେ ଅଗ୍ନିକାଣ୍ଡ ନେଇ ସୂଚନା ମିଳିଥିଲା। ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ୪ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକମାନେ ହେଲେ ବିହାରର ନୁର ଆଲାମ, ମୁସ୍ତାକ, ଅମନ ଓ ସାହିଲ, ଯିଏ କି ଏକ ପୋଷାକ କମ୍ପାନିରେ କାମ କରୁଥିଲେ। ସମସ୍ତଙ୍କ ବୟସ ୨୦ରୁ ୩୦ ବର୍ଷ ମଧ୍ୟରେ ଥିଲା। ସେମାନେ ଏହି ଘରେ ଭଡ଼ାରେ ରହୁଥିଲେ।
ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ୍ ସର୍ଟସର୍କିଟ ବୋଲି ଜଣାପଡ଼ିଛି। ପୁଲିସ ଅଧିକାରୀ ମୃତକଙ୍କ ପରିବାରକୁ ସୂଚନା ଦେଇଛନ୍ତି।
ଅଧିକ ପଢ଼ନ୍ତୁ: କେରଳ ହାଇକୋର୍ଟ କହିଲେ-ମା’ ଖରାପ ହୋଇପାରିବେ ନାହିଁ