ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ପାଇଁ ଆଉ ଦୁଇଟି ନୂଆ ରେଳ ପ୍ରକଳ୍ପ ଘୋଷଣା କରିଛନ୍ତି। ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦୁଇଟି ନୂଆ ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏହି ପ୍ରକଳ୍ପ ପାଇଁ ବହୁ ଦିନରୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ତାହା ଖୁବ ଶୀଘ୍ର ପୁରଣ ହେବାପାଇଁ ଯାଉଛି । ଏହି ଦୁଇଟି ରେଳ ପ୍ରକଳ୍ପ ଜଳେଶ୍ୱର-ଚନ୍ଦନେଶ୍ୱର ଏବଂ ଅନ୍ୟଟି ନରସିଂହପୁର-କଣ୍ଟିଲୋ- ଖଣ୍ଡପଡା ଦେଇ ଅନୁଗୋଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ କର୍ଡ ଲାଇନ ଅଟେ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦ୍ୱାରା ଘୋଷଣା ହୋଇଥିବା ନୂଆ ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ଦିଘା-ଜଳେଶ୍ୱର (ଚନ୍ଦନେଶ୍ୱର) ହୋଇଥିବା ବେଳେ ଏଥିପାଇଁ ସ୍ୱୀକୃତି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି। ୪୨କିମି ବିଶିଷ୍ଟ ଏହି ନୂଆ ଲାଇନ ପ୍ରକଳ୍ପ ଫାଷ୍ଟ ଟ୍ରାକ ଆଧାରରେ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ l ଜଳେଶ୍ୱର-ଚନ୍ଦନେଶ୍ୱର ରେଳ ଲାଇନ ବାଲେଶ୍ୱର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଯଥା ଚନ୍ଦନେଶ୍ୱର, ଭୂଷଣ୍ଢେଶ୍ୱର ସହିତ ଜଳେଶ୍ୱର ଷ୍ଟେସନକୁ ସଂଯୋଗ କରିବ। ସେହିପରି କେନ୍ଦ୍ର ମନ୍ତ୍ରୀ ନରସିଂହପୁର-କଣ୍ଟିଲୋ- ଖଣ୍ଡପଡା ଦେଇ ଅନୁଗୁଳ-ନୟାଗଡ଼ ଟାଉନ ମଧ୍ୟରେ ନୂଆ ଲାଇନ ଏବଂ ଖୋର୍ଦ୍ଧା ଟାଉନ-କାଇପଦର ମଧ୍ୟରେ ୧୨୦ କିମି କର୍ଡ ଲାଇନ କୁ ସ୍ୱୀକୃତି ଦେଇଛନ୍ତି।
ତେବେ ଏହି ଦୁଇ ରେଳ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଆର୍ଥିକ ଏବଂ ପର୍ଯ୍ୟଟନ ସମୃଦ୍ଧ ହେବା ସହିତ ଆଞ୍ଚଳିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହେବ। ଏହା ସହ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, କୃଷକ, ସ୍ଥାନୀୟ ବ୍ୟବସାୟୀ ଉପକୃତ ହେବେ। ଦିଘା-ଜଳେଶ୍ୱର ପ୍ରକଳ୍ପରେ ବାଲେଶ୍ୱର ଜିଲ୍ଲାର ଅନୁନ୍ନତ ଅଞ୍ଚଳ ଜଳେଶ୍ୱର ଏବଂ ଭୋଗରାଇ ବ୍ଲକର ସ୍ଥାନୀୟ କୃଷିଜାତ ଦ୍ରବ୍ୟ ଉତ୍ପାଦନକାରୀ ଏବଂ ମତ୍ସ୍ୟ ଉତ୍ପାଦନାକାରୀ ମାନେ ଉପକୃତ ହେବେ।ସେହିପରି ଖୋର୍ଦ୍ଧା ଟାଉନ-କାଇପଦର ପ୍ରକଳ୍ପରେ କଣ୍ଟିଲୋ ନୀଳମାଧବ ମନ୍ଦିରକୁ ଅନ୍ୱେଷଣ ହୋଇନଥିବା ପ୍ରାକୃତିକ ପର୍ଯ୍ୟଟନ ବନ୍ୟଜନ୍ତୁ ଅଭୟାରଣ୍ୟ ଏବଂ ସଂରକ୍ଷିତ ଜଙ୍ଗଲ ମାର୍ଗ ଦେଇ ରେଳ ସଂଯୋଗ କରାଯିବ। ଏହା ଦ୍ୱାରା କଣ୍ଟିଲୋ ଓ ଖଣ୍ଡପଡ଼ାର କଂସା ପିତ୍ତଳ କାରୁକାର୍ଯ୍ୟ ପାଇଁ ଏକ ବଜାର ସୃଷ୍ଟି ହେବା ସହ ପଣ୍ୟ ପରିବହନ କ୍ଷେତ୍ରରେ ମଧ୍ୟ ସହାୟକ ହେବ।
ଅଧିକ ପଢନ୍ତୁ:ଛାତ୍ରୀଙ୍କୁ ରୋଗୀ ସଜେଇ ଦେଲେ ରାଜ୍ୟ ସରକାର