ମିଛ ପ୍ରଚାର ପାଇଁ ଛାତ୍ରୀଙ୍କୁ ରୋଗୀ ସଜେଇ ଦେଲେ ରାଜ୍ୟ ସରକାର। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଜଳେଶ୍ଵର ପୌରାଞ୍ଚଳରେ। ରୋଗୀଙ୍କ ନାମ ସ୍ମୃତିଲେଖା ପ୍ରଧାନ ଦର୍ଶାଯାଇଥିବା ବେଳେ କୌଣସି ରୋଗ କିମ୍ବା ଚିକିତ୍ସା ନହୋଇ ମଧ୍ୟ ତାଙ୍କ ନାଁରେ ବିଜୁ ସ୍ୱାସ୍ଥ୍ୟକାର୍ଡରୁ ଉଠିଛି ୨ ଲକ୍ଷ ଟଙ୍କା। ଗୁରୁବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିବା ପୁସ୍ତିକାରେ ଏପରି ଲେଖାଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ପରିବାର।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ଜଳେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ୧୫ ନମ୍ବର ୱାର୍ଡରେ ରୁହନ୍ତି ସୁମନ୍ତ ପ୍ରଧାନ, ତାଙ୍କ ଉର୍ମିଳା ପ୍ରଧାନ ଓ ପରିବାର ଲୋକ। ତାଙ୍କ ଝିଅ ହେଉଛନ୍ତି ସ୍ମୃତିଲେଖା ପ୍ରଧାନ। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏବେ ବାଲେଶ୍ୱରରେ ନର୍ସିଂ କରୁଛନ୍ତି। ହେଲେ ତାଙ୍କ ନାଁରେ ବିଜୁ ସ୍ୱାସ୍ଥ୍ୟକାର୍ଡରୁ ୨ ଲକ୍ଷ ଟଙ୍କା ଉଠିଥିବା ବେଳେ ଏହାର କାରଣ ସ୍ମୃତିଲେଖାଙ୍କ ଗୋଡ଼ ଅସ୍ତ୍ରୋପଚାର ହୋଇଥିବା ଦର୍ଶାଯାଇଛି।
ଗୁରୁବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମରେ ବଣ୍ଟନ କରାଯାଇଥିବା ପୁସ୍ତିକାରେ ଏପରି ଲେଖାଯାଇଥିବା ଦେଖିବାକୁ ମିଳିଛି। ଏହି ପୁସ୍ତିକାରେ ସ୍ପଷ୍ଟ ଭାବେ ଲେଖାଯାଇଛି, “ଜଳେଶ୍ଵର ପୌରାଞ୍ଚଳର ୧୫ ନମ୍ବର ୱାର୍ଡର ଶ୍ରୀମତୀ ଉର୍ମିଳା ପ୍ରଧାନ କୁହନ୍ତି ମୋର ଝିଅ ସ୍ମୃତିଲେଖା ପ୍ରଧାନଙ୍କ ଗୋଡ଼ରେ ସମସ୍ୟା ଥିବାରୁ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇପାରୁ ନଥିଲେ। ସେଥିପାଇଁ ଆମ ପରିବାର ବହୁତ ଦୁଃଖିତ ଥିଲେ। ଉତ୍ତମ ସେବା ପାଇଁ ଅର୍ଥର ଅଭାବ ଥିଲା। ମାତ୍ର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମୁଁ ମୋର ଝିଅର ଅସ୍ତ୍ରୋପଚାର ସହିତ ଉତ୍ତମ ମାନର ଚିକତ୍ସା ପାଇପାରିଥିଲି। କଠିନ ସମୟରେ ବରଦାନ ରୁପରେ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମୋତେ ବଞ୍ଚିବାର ରାହା ଯୋଗାଇଥିଲା। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଏବଂ ମୋର ପରିବାର ତରଫରୁ କୃତଜ୍ଞନ୍ତା ଜଣାଉଛି।”
ତେବେ ଏହା ଦେଖିବା ପରେ ସରକାରଙ୍କ ଏହି ମିଛ ଖବର ପ୍ରଚାରକୁ ନେଇ ସୁମନ୍ତ ଓ ଉର୍ମିଳା ଏ ସମ୍ପର୍କରେ ପ୍ରଶ୍ନ ଉଠାଇଛନ୍ତି। ଏ ସମ୍ପର୍କରେ ଉର୍ମିଳା କହିଛନ୍ତି ଯେ, 'ଥରେ ଜଳେଶ୍ୱର ପୌରାଞ୍ଚଳରୁ କେତେକ କର୍ମଚାରୀ ଆମ ଘରକୁ ଆସିଥିଲେ। ବିଜୁ ସ୍ୱାସ୍ଥ୍ୟ କାର୍ଡ ଅଛି କି ନାହିଁ ମୋତେ ପଚାରିଥିଲେ। ମୁଁ ହଁ କହିବାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଣିବାକୁ କହିଥିଲେ। ତା’ପରେ ମୁଁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଆଣିଥିଲି। ମୋତେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଧରି ଛିଡ଼ା ହେବାକୁ କୁହାଯାଇଥିଲା। ସେମାନଙ୍କ କଥାକୁ ବିଶ୍ୱାସ କରି କାର୍ଡ଼ ଧରି ଛିଡ଼ା ହୋଇଥିଲି। ତା’ପରେ ସେମାନେ ମୋ ଫଟୋ ଉଠାଇ ଥିଲେ। ପରେ ମୋ ପରିବାର ଲୋକଙ୍କ ନାଁ ଲେଖି ନେଇଥିଲେ। ଫଟୋ କାହିଁକି ଉଠାଇଲ ବୋଲି ପଚାରିବାରୁ ସେମାନେ କହିଥିଲେ, ଆଗକୁ ନିର୍ବାଚନ ଆସୁଥିବାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ବହୁ ଫାସିଲିଟି ମିଳିବ ବୋଲି କହିଥିଲେ। ଏବେ ମୋ ଝିଅର ଅପରେସନ୍ ହୋଇଥିବା ଏହି ପୁସ୍ତିକାରୁ ଦେଖିବାକୁ ପାଇଲି।"
ତେବେ ଏହି ଘଟଣା ପରେ ଜଳେଶ୍ଵର ପୌରାଞ୍ଚଳ ନିର୍ବାହୀ ଅଧକାରୀ ଅଜୟ କୁମାର ମହାପାତ୍ରଙ୍କ ମତାମତ ନିଆଯାଇଥିଲା ବେଳେ ଥାର୍ଡ଼ ପାର୍ଟି ଏଭଳି କାମ କରିଛି ଏବଂ ଏଥିରେ ଆମର ଏଥିରେ କୌଣସି କାମନାହିଁ ବୋଲି ପ୍ରତିକ୍ରିୟା ରଖିଛନ୍ତି।
ଅଧିକ ପଢନ୍ତୁ: ଆଣ୍ଟାର୍କଟିକାରେ ବ୍ୟାପୁଛି H5N1 ଭୂତାଣୁ: ବିପଦରେ ପେଙ୍ଗୁଇନ