ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବାଘୁଣୀ ସ୍ନେହାର ମୃତ୍ୟୁ ଘଟିଛି। ମାତ୍ର ୧୪ ବର୍ଷ ବୟସରେ ଆଖି ବୁଜିଦେଇଛି ବାଘୁଣୀ ସ୍ନେହା। ଗତ କିଛି ଦିନ ହେବ ବାଘୁଣୀ ସ୍ନେହାର ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ହୋଇଛି। ତେବେ ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେଣୁ ଏ ଘଟଣାକୁ ନେଇ ଅଧିଆ ତଦନ୍ତ କରୁଛି ବନ ବିଭାଗ।
ସୂଚନା ଅନୁସାରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୩ନଂ ଫିଡ଼ି ଚ୍ୟାମ୍ୱରରେ ରହୁଥିବା ୧୪ ବର୍ଷୀୟା ବାଘୁଣୀ ସ୍ନେହାର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା। ତେବେ ବାଘୁଣୀ ସ୍ନେହାରର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ପ୍ରାଣୀ ଚିକିତ୍ସକ ମାନେ ତା'ର ଚିକିତ୍ସା ଆରମ୍ଭ କରିଥିଲେ। ଏପରିକି ସ୍ୱାସ୍ଥ୍ୟବସ୍ଥା ସୁଧୁରିବା ପାଇଁ ସାଲାଇନ ସହିତ ଭିଟାମିନ ଓ ଆଣ୍ଟିବାୟୋଟିକ ଆଦି ଦିଆଯାଇଥିଲା। ହେଲେ ଏତେ ଅକ୍ଲାନ୍ତ ପରିଶ୍ରମ ପରେ ମଧ୍ୟ ଆଖି ବୁଜିଦେଇଥିଲା ବାଘୁଣୀ ସ୍ନେହା। ତେବେ ଏହି ଦୁଃଖଦ ଖବର ଆସିବା ପରେ ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶୋକର ଛାୟା ଖେଳି ଯାଇଛି।