ସାଧାରଣ ନିର୍ବାଚନ ୨୦୨୪ର ତୃତୀୟ ଚରଣ ଅର୍ଥାତ୍ ଆସନ୍ତା ମେ ୧୩ ତାରିଖରେ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ମୋଟ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନରେ ଭୋଟର ନିଜ ପ୍ରତିନିଧି ବାଛିବେ । ଏଥିପାଇଁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଭରିବେ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ । ନିର୍ବାଚନ କମିସନ ଧାର୍ଯ୍ୟ କରିଥିବା ସମୟସୀମା ଅନୁଯାୟୀ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଆଜି ଠାରୁ ବିଧିବଦ୍ଧ ଭାବେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ତେବେ ଏପ୍ରିଲ ୨୫ ତାରିଖ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବାକୁ ଥିବାବେଳେ ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି ।
ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ଏବଂ ଓଡ଼ିଶାର ୪ ସଂସଦୀୟ କ୍ଷେତ୍ରରେ ମତଦାନ ପାଇଁ ସମୟ ମଧ୍ୟ ନିର୍ଘଣ୍ଟ ହୋଇିଛି । କଳାହାଣ୍ଡି ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନ୍ରେ ୭ରୁ ଅପରାହ୍ନ ୪ଟା ଭୋଟିଂ ହେବ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସକାଳ ୭ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟିଂ ପ୍ରକ୍ରିୟା ଚାଲିବ । ସେହିପରି ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ନୂଆପଡ଼ାର ଅନ୍ୟ ପୋଲିଂ ଷ୍ଟେସନରେ ସକାଳ ୭ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ ଖଡ଼ିଆଳରେ ୨୯ଟି ପୋଲିଂ ଷ୍ଟେସନ୍ରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ।
ନବରଙ୍ଗପୁର ଲୋକସଭା କ୍ଷେତ୍ରର ଉମରକୋଟ, ଝରିଗାଁ ଓ ଡାବୁଗାଁ ଓ ନବରଙ୍ଗପୁର ବିଧାନସଭା ଆସନରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ସନ୍ଧ୍ୟା ୫ଟା ଭୋଟ ଗ୍ରହଣ ହେବ ।
ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡିରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଓ କେବଳ ମୋହନାରେ ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ।
କୋରାପୁଟ ସଂସଦୀୟ କ୍ଷେତ୍ରର ଗୁଣୁପୁର, ବିଷମକଟକ, ରାୟଗଡ଼ା ଓ କୋରାପୁଟ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଭୋଟ ଗ୍ରହଣ ହେବ । ସେହିପରି ଲକ୍ଷ୍ମୀପୁର ଓ ପଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ଓ ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।
ଅଧିକ ପଢ଼ନ୍ତୁ : ବାଲିକୁଦା-ଏରସମା ଓ ଜଗତସିଂହପୁର ନୂଆ ପ୍ରାର୍ଥୀ