ଅଷ୍ଟ୍ରେଲିଆ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ମିଚିଲ ମାର୍ଶଙ୍କୁ ଦଳର ଅଧିନାୟକ ଭାବରେ ଚୟନ କରାଯାଇଛି । ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍, ଯୁବ ଜ୍ୟାକ୍ ଫ୍ରେଜର ମ୍ୟାକଗର୍କ, ଅଭିଜ୍ଞ ଦ୍ରୁତ ବୋଲର ଜେସନ ବେହେରେଣ୍ଡର୍ଫ ଏବଂ ଅଲରାଉଣ୍ଡର ମ୍ୟାଟ ସର୍ଟ ଦଳରୁ ବାଦ ପଡିଛନ୍ତି। ୨୦୨୨ ପରଠାରୁ ଗୋଟିଏ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିନଥିଲେ ମଧ୍ୟ ବାମହାତୀ ସ୍ପିନର ଆଷ୍ଟନ ଆଗରଙ୍କୁ ଦଳରେ ସ୍ଥାନ ମିଳିଛି । ଏହା ବ୍ୟତୀତ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଚଳିତ ଆଇପିଏଲରେ ଖରାପ ପ୍ରଦର୍ଶନ ସତ୍ୱେ କ୍ୟାମେରନ ଗ୍ରୀନ ଅଷ୍ଟ୍ରେଲିଆ ଦଳରେ ସ୍ଥାନ ପାଇଛନ୍ତି।
ଚୟନକର୍ତ୍ତା ମୁଖ୍ୟ ଜର୍ଜ ବେଲି କହିଛନ୍ତି ଯେ ଅଷ୍ଟ୍ରେଲିଆ ପାଇଁ ଏକ ସନ୍ତୁଳିତ ଦଳ ଚୟନ ହୋଇଛି ଏବଂ ଟି-୨୦ ବିଶ୍ୱକପର ୯ ମ ସଂସ୍କରଣରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିବ ବୋଲି ଆଶାବାଦୀ ଅଛନ୍ତି। ବେଲି ଆହୁରି ମଧ୍ୟ କହିଛନ୍ତି, “ଆଷ୍ଟନ ଅଗର ଦଳକୁ ଫେରିବା ପରେ ଆମେ ଖୁସି। ଆମେ ବିଶ୍ୱାସ କରୁ ଯେ ସେ ଆଗାମୀ ଟୁର୍ନାମେଣ୍ଟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ । ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସୱେଲ, କ୍ୟାମେରନ ଗ୍ରୀନ ଏବଂ ମିଚିଲ ମାର୍ଶ ଅଷ୍ଟ୍ରେଲିଆର ବୋଲିଂ ଆକ୍ରମଣକୁ ଦୃଢ କରିବେ। ବ୍ୟାଟିଂରେ ଅନେକ ବିକଳ୍ପ ଅଛି, ପ୍ରତିଦ୍ବନ୍ଦୀ ଏବଂ ପରିସ୍ଥିତି ଅନୁଯାୟୀ ଦଳ ଖେଳାଳିଙ୍କ ବ୍ୟାଟିଂ କ୍ରମର ନିଷ୍ପତି ନେବ ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ବେଲି ।
ଅଷ୍ଟ୍ରେଲିଆ ଦଳ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଗ୍ରୁପ୍-ବି ରେ ରହିଛି । ବାରବାଡୋସରେ ଓମାନ ବିପକ୍ଷରେ ଜୁନ୍ ୫ ରୁ ଚଳିତ ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆ ଏବଂ ଓମାନ ବ୍ୟତୀତ ଗ୍ରୁପ୍-ବି ରେ ଇଂଲଣ୍ଡ, ନାମିବିଆ ଏବଂ ସ୍କଟଲ୍ୟାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ।
ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆର ୧୫ ଜଣିଆ ଦଳ : ଆଷ୍ଟନ୍ ଅଗର, ପ୍ୟାଟ୍ କମିନ୍ସ, ଟିମ ଡେଭିଡ, ନାଥାନ ଏଲିସ୍, କ୍ୟାମେରନ ଗ୍ରୀନ, ଜସ ହାଜଲେଉଡ, ଟ୍ରାଭିସ ହେଡ, ମିଚିଲ ମାର୍ଶ (ଅଧିନାୟକ), ଜୋଶ ଇଂଲିଶ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ଏବଂ ଆଡାମ ଜାମ୍ପା
ଅଧିକ ପଢନ୍ତୁ : ମଉଳି ଯାଉଛି ମୁମ୍ବାଇର ପ୍ଲେ-ଅଫ୍ସ ଆଶା