ଏକନ୍ନା ଷ୍ଟାଡିୟମ ଲକ୍ଷ୍ନୌରେ ଖେଳାଯାଇଥିବା ଆଇପିଏଲର ୪୮ ତମ ମ୍ୟାଚରେ ମୁମ୍ବାଇକୁ ଆଉ ଏକ ପରାଜୟର ସାମ୍ନା କରିବାକୁ ପଡିଛି । ଲଗାତାର ୩ ଟି ମ୍ୟାଚରେ ପରାଜୟ ସହ ମୁମ୍ବାଇର ପ୍ଳେ-ଅଫ୍ସ କୁ ଯିବା ବାଟ ଧୀରେ ଧୀରେ ବନ୍ଦ ହେବାରେ ଲାଗିଛି । ଚଳିତ ସିଜିନରେ ସମୁଦାୟ ୧୦ ଟି ମ୍ୟାଚ ଖେଳିଥିବାବେଳେ ମାତ୍ର ୩ ଟି ମ୍ୟାଚରେ ବିଜୟର ସ୍ୱାଦ ଚାଖିଛି ମୁମ୍ବାଇ । ଏହା ସହ ପଏଣ୍ଟସ ଟେବୁଲର ନବମ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଲକ୍ଷ୍ନୌ ୧୦ ଟି ମ୍ୟାଚ ଖେଳି ୬ ମ୍ୟାଚରେ ବିଜୟ ସହ ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ରହିଛି ।
ଗତ ସନ୍ଧ୍ୟା ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଲକ୍ଷ୍ନୌ ବୋଲିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ୍ ପଡିବା ଫଳରେ ମୁମ୍ବାଇ ୨୦ ଓଭରରେ ୭ ଟି ୱିକେଟ୍ ହରାଇ ୧୪୪ ରନ ସଂଗ୍ରହ କରିଥିଲା । ମୁମ୍ବାଇ ପକ୍ଷରୁ ନେହଲ ବଧେରା ସର୍ବାଧିକ ୪୬ ରନ କରିଥିବାବେଳେ ଟିମ ଡେଭିଡ ୩୫ ଓ ଈଶାନ କିଷାନ ୩୨ ରନ ସଂଗ୍ରହ କରିଥିଲେ । ମୋହସିନ ଖାନ ୨ଟି ୱିକେଟ୍ ନେଇଥିଲାବେଳେ ଷ୍ଟୋଇନିସ, ମୟଙ୍କ, ରବି ବିଷ୍ଣୋଇ ଓ ନବୀନ ଉଲ ହକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସର ପ୍ରଥମ ଓଭରରେ ଲକ୍ଷ୍ନୌ ୱିକେଟ୍ ହରାଇଥିଲେ ମଧ୍ୟ ପାଳିକୁ ସମ୍ଭାଳିବାରେ ସକ୍ଷମ ରହିଥିଲେ ମାର୍କସ ଷ୍ଟୋଇନିସ । ୪୫ ବଲରେ ୬୨ ରନ ସଂଗ୍ରହ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ଅଧିକ ପଢନ୍ତୁ : ଦିଲ୍ଲୀ ଏବଂ କେକେଆର ଲଢେଇରେ ବାଜି ମାରିଛି କେକେଆର