ଶ୍ରମିକଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ । ସାରା ବିଶ୍ୱରେ ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଶ୍ରମିକ ଦିବସ । ଶ୍ରମିକ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମେ ମାସ ୧ ତାରିଖ ଦିନ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ କରାଯାଉଛି । ଏହି ଦିବସକୁ ଆଜି ଦେଶର କୋଣ ଅନୁକୋଣରେ ପାଳନ କରାଯାଉଥିଲା ବେଳେ ଓଡ଼ିଶାରେ ମଧ୍ୟ ପାଳନ କରାଯାଉଛି ।
ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ସାରା ବିଶ୍ୱରେ ପରିଚିତ ଥିଲା ବେଳେ ଶ୍ରମିକ ଦିବସ ଅବସରରେ ମହିଳା ଦାଦନ ଶ୍ରମିକଙ୍କ ପ୍ରତିମୂର୍ତ୍ତି ଗଢ଼ିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ଓମ୍ପ୍ରକାଶ ସାହୁ । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଇଟା ଗଢ଼ା କାମରେ ବାହାର ରାଜ୍ୟକୁ ଯାଉଥିବା ବେଳେ ଅନେକ କ୍ଷେତ୍ରରେ ନାନା ପ୍ରକାର ନିର୍ଯାତନାର ଶିକାର ହୋଇଥାନ୍ତି ।
ସରକାରଙ୍କ ମାଳ ମାଳ ଯୋଜନା ବି ବଲାଙ୍ଗିର ଜିଲ୍ଲାରୁ ଦାଦନ ସମସ୍ୟା ହଟାଇବାରେ ସକ୍ଷମ ହୋଇପାରିନାହିଁ । ଏହି ସମସ୍ୟାକୁ ହୃଦୟଙ୍ଗମ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବାଲୁକା ଶିଳ୍ପୀ ଓମ୍ପ୍ରକାଶ ଜଣେ ମହିଳା ଶ୍ରମିକ ନିଜ ଛୁଆକୁ ଧରି ଇଟାଭାଟିରେ କାମ କରୁଥିବାର ଦୃଶ୍ୟକୁ ନିଜ ବାଲୁକା କଳାରେ ଜୀବନ୍ତ କରିଛନ୍ତି ।ଶ୍ରମିକ ଦିବସରେ ବାଲୁକା ଶିଳ୍ପୀଙ୍କ ଏହି କାରୁକାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି ।
ଅଧିକ ପଢନ୍ତୁ :କାଶୀ ଭଳିଆ ହେବ ସମ୍ବଲପୁର : କେନ୍ଦ୍ରମନ୍ତ୍ରୀ