ସମ୍ବଲପୁର ଜିଲ୍ଲା ବୁର୍ଲା ଭିମସାରରେ ଜଣେ ମାନସିକ ରୋଗୀ ସୁସ୍ଥ ହେବା ପରେ ତାଙ୍କୁ ତାଙ୍କ ଘରକୁ ପଠାଇବାର ବ୍ୟବସ୍ତା କରିଛନ୍ତି ଭିମସାର ଅଧିକ୍ଷକ ।
ସୂଚନା ଅନୁସାରେ, ଚଳିତ ମାସ ଗତ ୩ ତାରିଖରେ ଭିମସାରର ମାନସିକ ରୋଗ ବିଭାଗରେ କୃଷ୍ଣଚନ୍ଦ୍ର ନାଏକ ନାମକ ଜଣେ ମାନସିକ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ପରେ ବିଭାଗୀୟ ମୁଖ୍ୟ ଡାକ୍ତର ବିରେନ୍ଦ୍ର ନାଏକଙ୍କ ଅଧିନରେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଥିଲେ । ସୁସ୍ଥ ହେବାପରେ ସେ ତାଙ୍କ ଘର କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତିଆରିବିସି ଖୁଣ୍ଟପାଲି ଗାଁରେ ବୋଲି କହିବା ସହ ମୃତ ରାଘବ ନାଏକଙ୍କ ସେ ପୁଅ ବୋଲି ପରିଚୟ ଦେଇଥିଲେ । ଏହାସହ ମଧ୍ୟ ସେ ମାନସିକ ବିକୃତ କାରଣରୁ ୩ ବର୍ଷ ପୂର୍ବରୁ ଘରୁ ପଳେଇଆସିଥିଲେ ବୋଲି ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବୋଲି ତଦନ୍ତରୁ ଜଣାପଡିଥିଲା । କୃଷ୍ଣଚନ୍ଦ୍ର ନିଜ ଘରକୁ ଯିବା ପାଇଁ ଭିମସାର ଅଧିକ୍ଷକଙ୍କୁ ଅନୁରୋଧ କରିଥିଲେ । ପରେ ଏନେଇ ସମ୍ବଲପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପରାମର୍ଶ କ୍ରମେ ରେଡକ୍ରସ ସଂସ୍ଥା ତାଙ୍କୁ ଘରେ ପହଞ୍ଚାଇବା ଦାଇତ୍ୱ ନେଇ ସୁରକ୍ଷିତ ଭାବରେ ଘରେ ପହଂଚାଇଥିଲେ ।