ଗତ ୧୭ ଦିନ ଧରି ତ୍ତରାଖଣ୍ଡ ଉତ୍ତରକାଶୀ ଟନେଲ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଅନେକ ଚେଷ୍ଟା ଏବଂ ବହୁ ବାଧା ବିଘ୍ନର ସାମ୍ନା କରି ଶେଷରେ ରେସ୍କ୍ୟୁ ଅପରେସନ୍ ସଫଳତା ହାସଲ କରିଛି । ଯାହାଙ୍କ ଉଦ୍ଧାର ପାଇଁ ସାରା ବିଶ୍ୱ ପାର୍ଥନା କରିଥିଲା । ଉତ୍ତରକାଶୀ ଟନେଲରେ ଫସିଥିବା ସେହି ୫ ଓଡ଼ିଆ ସୁରକ୍ଷିତ ଉଦ୍ଧାର ହେବା ପରେ ସେମାନଙ୍କ ଘରେ ଏବେ ଖୁସିର ମାହୋଲ । ତାଙ୍କ ଉଦ୍ଧାର କେବଳ ତାଙ୍କ ପରିବାରରେ ନୁହଁ ବରଂ ପୁରା ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଯାହାକୁ ଆଉ ଏକ ଦୀପାବଳି କହିଲେ କିଛି ଭୁଲ ହେବ ନାହିଁ ।
ଏହି ବିଶାଳ ରେସ୍କ୍ୟୁ ଅପରେସନ୍ର ସଫଳ ପରିସମାପ୍ତି ସହ ସମସ୍ତ ଶ୍ରମିକମାନଙ୍କୁ ଏକ ନୂଆ ଜୀବନ ମିଳିଛି। ସୂଚନା ଅନୁଯାୟୀ, ପ୍ରାୟ ଦେଢଘଂଟାର ଅପରେସନରେ ଜଣକ ପରେ ଜଣେ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର କାମର ସଫଳତା ପରେ ସମସ୍ତ ଶ୍ରମିକଙ୍କ ପରିବାର, ଉଦ୍ଧାରକାରୀ ଦଳ ଓ ପ୍ରଶାସନକୁ ଆଶ୍ୱସ୍ତି ମିଳିଛି । ଓଡ଼ିଶାର ତପନ ମଣ୍ଡଳଙ୍କ ଉଦ୍ଧାର ହେବାର ଏବଂ ସୁରକ୍ଷିତ ଥିବାର ଖବର ଶୁଣି ଖୁସି ହେବା ସହ ଭଗବାନଙ୍କୁ ଧନ୍ୟବାଦ ଜଣାଉଛନ୍ତି । ପୁଅକୁ ପୁଣିଥରେ ଫେରି ପାଇଥିବାରୁ ତପନଙ୍କ ବାପା ଅନେକ ଖୁସି ଅନୁଭବ କରୁଛନ୍ତି । ତାଙ୍କ ଆଖିରେ ଦେଖିବାକୁ ମିଳିଛି ଖୁସିର ଲୁହ । ନିଜ ପୁଅକୁ ଟିକେ ଦେଖିବା ପାଇଁ ତାର ସୁରକ୍ଷିତ ଥିବାର ବାର୍ତ୍ତା ଶୁଣିବା ପାଇଁ ଦୀର୍ଘ 17 ଦିନ ଧରି ଅପେକ୍ଷା କରିଥିଲେ ତାଙ୍କ ବାପା ମା' । ଶେଷରେ ତାଙ୍କ ଡାକ ଶୁଣିଲେ ଠାକୁର । ଏବଂ ସଫଳ ହେଲା 17 ଦିନ ଧରି ଚାଲିଥିବା ରେସ୍କ୍ୟୁ ଅପରେସନ୍ ।
ସେହିପରି ଶ୍ରମିକ ବିଶ୍ବେଶ୍ୱର ନାୟକଙ୍କ ପରିବାରର ସମସ୍ତେ ତାଙ୍କ ଉଦ୍ଧାର ପାଇଁ ପ୍ରାର୍ଥନା କରୁଥିବା ବେଳେ ଆଜି ସେ ତାଙ୍କ ସହ କଥା ହୋଇଥିବାରୁ ସେମାନେ ବହୁତ ଖୁସି ଅନୁଭବ କରୁଛନ୍ତି | ଏହାକୁ ନେଇ ତାଙ୍କ ପରିବାର ଲୋକେ କହିଛନ୍ତି, ମହାପ୍ରଭୁଙ୍କୁ ଆମ ଡାକ ଶୁଣିଲେ । ଏବଂ ସୁଡ଼ଙ୍ଗରୁ ସମସ୍ତେ ସୁରକ୍ଷିତ ଭାବରେ ବାହାରକୁ ଆସିଲେ । ସୁଡ଼ଙ୍ଗରୁ ବାହାରିବା ପାଇଁ ତାଙ୍କ ମା' ବାବା ଝାଡ଼େଶ୍ୱରଙ୍କ ପାଖରେ ମାନସିକ କରିଥିଲେ । ସୁରକ୍ଷିତ ଭାବରେ ବାହାରକୁ ଆସିବା ପାଇଁ ପରିବାର ସହ ସମସ୍ତେ ବହୁତ ଖୁସି । 17 ଦିନରେ ପରେ ଆମ ଆତ୍ମୀୟଙ୍କୁ ପୁନର୍ଜୀବନ ମିଳିଲା । ଏତେ ଦିନ ଧରି ତାଙ୍କ ଆତ୍ମୀୟଙ୍କର ଫେରିବା ବାଟକୁ ଚାହିଁ ରହିଥିଲେ ସମସ୍ତେ । ଏବଂ ଅଭିଯାନର ସଫଳତା ପରେ କବଳ ଶ୍ରମିକଙ୍କୁ ନୁହଁ ତାଙ୍କ ପରିବାରଙ୍କୁ ମଧ୍ୟ ପୁନର୍ଜୀବନ ମିଳିଛି । ଉଦ୍ଧାର ଖବର ଶୁଣି ସମସ୍ତେ ଖୁସିରେ ଆତ୍ମବିଭୋର ହୋଇ ପଡିଛନ୍ତି । ଏଥିପାଇଁ ସେ ସମସ୍ତ ରେସ୍କ୍ୟୁ ଟିମ୍ କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଏହାସହ ରାଜୁ ନାୟକଙ୍କ ପରିବାର ତାଙ୍କ ଉଦ୍ଧାର ପାଇଁ ଭଗବାନଙ୍କ ନିକଟରେ ମାନସିକ ରଖିଥିଲେ । ଏବେ ତାଙ୍କ ଉଦ୍ଧାର ପରେ ଏବେ ପୁଅକୁ ଦେଖିବା ପାଇଁ ଅନେଇ ବସିଛନ୍ତି ପରିବାର ଲୋକେ । ତାଙ୍କ ପୁଅ ଟନେଲରେ ଫସି ରହିଥିବା ବେଳେ ତାଙ୍କ ପରିବାର ଲୋକେ ମଧ୍ୟ ସେହି ଭଳି ଜୀବନ ବଞ୍ଚୁ ଥିଲେ । ପୁଅକୁ ପୁନର୍ଜୀବନ ମିଳିଥିବାରୁ ବହୁତ ଖୁସି ଅନୁଭବ କରୁଛନ୍ତି ତାଙ୍କ ପରିବାର । ମାନସିକ ପୁରଣ ହୋଇ ଯିବାରୁ ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଶେଷରେ ଭାରତ ମାତା କି ଜୟ କହି ନିଜ ଖୁସିକୁ ବ୍ୟକ୍ତ କରିଛନ୍ତି ।
ଉଦ୍ଧାର ହେବା ପରେ ସମସ୍ତ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ଚିକିତ୍ସା ଚାଲିଛି । ସ୍ୱାସ୍ଥ୍ୟ ଚିକିତ୍ସା ହେବାପରେ ତାଙ୍କୁ ଘରକୁ ଆଣିବା ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା କରାଯାଇଛି ।