ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ନିଜର ଟ୍ୱିଟରରେ ସେୟାର କରି କହିଛନ୍ତି ଯେ , ଦେଶରେ ଭାଇଚାରା ବଢିଲେ ଆମର ବିକଶିତ ଭାରତର ମୂଳଦୂଆ ମଜବୁତ ହେବ ।
ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ କାରଣରୁ ଭାରତରେ ବସୁଧୈବ କୁଟୁମ୍ବକମ୍ ନୀତିକୁ ପ୍ରଧାନ୍ୟ ଦିଆଯାଇଛି । ଅମୃତକାଳରେ ଆମେ ସମସ୍ତେ ମିଳିମିଶିକି ପରିଶ୍ରମ କରିବା ଏବଂ ଭାରତକୁ ବିକଶିତ କରି ଦେଶର ନାଁକୁ ଆଗକୁ ନେବା । କେନ୍ଦ୍ରମନ୍ତ୍ରୀ ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି । ଆଜି ହେଉଛି ନୂଆଁଖାଇ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ଏହି ପର୍ବ ପାଳନ କରାଯାଏ । ଓଡ଼ିଶାରେ ବିଭିନ୍ନ ଜାତି, ଧର୍ମ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ସବୁ ପର୍ବକୁ ବେଶ ଧୂମଧାମରେ ପାଳନ କରିଥାନ୍ତି । ସେହିପରି ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ । ନୂଆଁଖାଇ ହେଉଛି ଏକ କୃଷିଭିତ୍ତିକ ପର୍ବ । ଓଡ଼ିଶାରେ ବାସ କରୁଥିବା ଅଧିକାଂଶ ଲୋକଙ୍କର ଜୀବିକା ହେଉଛି କୃଷି । ଏହି ଦିନରେ ଉତ୍ପାଦ ହୋଇଥିବା ଶସ୍ୟରେ ବିଭିନ୍ନ ଅନ୍ନ ବା ପ୍ରସାଦ ପ୍ରସ୍ତୁତ କରି ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରାଯାଏ । ଇଷ୍ଟ ଦେବାଦେବୀଙ୍କ ପାଖରେ ଭୋଗ ହୋଇସାରିଲା ପରେ ଏହି ପ୍ରସାଦ ବା ଭୋଗକୁ ସମସ୍ତେ ମିଳିମିଶି ଖାଇଥାନ୍ତି । ନୂଆ ଖାଇବା ଖାଇ ସାରିବା ପରେ ସମସ୍ତେ ଗୁରୁଜନମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଥାଆନ୍ତି ।
ଆଗକୁ ପଢନ୍ତୁ :- ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପ୍ରବଳ ବର୍ଷା