କଟକ: ଚୌଦ୍ୱାର ମଣ୍ଡଳ କାରାଗାରରୁ ଦୁଇ ବିଚାରଧୀନ କଏଦୀ ଚମ୍ପଟ୍ ମାରିବା ଘଟଣାରେ ଜେଲ୍ ବିଭାଗ ଡିଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ଜେଲର ୱାର୍ଡର୍ ସିଦ୍ଧାନ୍ତ ସାହୁ ଓ ଚିଫ୍ ୱାର୍ଡର୍ ଭଗତ ରାମଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । କଟକ ରେଞ୍ଜ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।
ଦୁଇ କଏଦୀ ମଧୁକାନ୍ତ ଓ ରାଜା ସାହାଣୀଙ୍କ ଫେରାରକୁ ନେଇ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । ଉଭୟ ଗୁରୁବାର ବିଳମ୍ବିତ ରାତିରେ ଜେଲର ଲୁହା ରଡକୁ ପ୍ରଥମେ ଆରିରେ କାଟିଥିଲେ ଏବଂ ପରେ କମ୍ବଳ ସୁତାରେ ରଶି ତିଆରି କରି ଫେରାର ହେବାରେ ସଫଳ ହୋଇଥିଲେ। ଏଠାରେ ପ୍ରଥମ ପ୍ରଶ୍ନ ଜେଲରେ ଏତେ ସୁରକ୍ଷା ବ୍ୟବସ୍ଥା ଥିବାବେଳେ ସେମାନଙ୍କ ନିକଟକୁ ଆରି କେମିତି ଆସିଲା । ସେହିପରି ଉଭୟ ଅଲଗା ଅଲଗା କୋଠରୀରେ ରହୁଥିଲେ । ତେଣୁ ଏକା ସାଙ୍ଗରେ ଦୁଇ ଜଣ ଆରିରେ ରଡ୍ କାଟିଲେ କିନ୍ତୁ ଅନ୍ୟ କଏଦୀମାନେ କିପରି ତାହା ଦେଖି ପାରିଲେ ନାହିଁ କିମ୍ବା ଜାଣି ପାରିଲେ ନାହିଁ । ଖାଲି ସେତିକି ନୁହେଁ କମ୍ବଳରେ ରଶି ତିଆରି କରିବାକୁ ମଧ୍ୟ ସମୟ ଲାଗିଥିବ ଏବଂ ପାଚେରୀ ଚଢ଼ି ରଶିକୁ ବାନ୍ଧିବାକୁ ସମୟ ଲାଗିଥିବ । ଏହାରି ମଧ୍ୟରେ କାର୍ଯ୍ୟରତ ଥିବା ଜେଲ୍ ୱାର୍ଡର୍ ମାନେ କିପରି ଜାଣି ପାରିଲେ ନାହିଁ ।
ସେପଚେ କଏଦୀ ଚମ୍ପଟ୍ ମାରିବାକୁ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିସାରିଲାଣି । ତଥାପି ପୋଲିସ ହାତ ଖାଲି ରହିଛି । ସେମାନେ ବର୍ତ୍ତମାନ ରାଜ୍ୟ ଭିତରେ ଅଛନ୍ତି ନା ବାହାରକୁ ଚାଲି ଗଲେଣି ତାହା ମଧ୍ୟ ଏବେ ଅସ୍ପଷ୍ଟ ରହିଛି ।
ମଧୁକାନ୍ତ ଓ ରାଜା ସାହାଣୀ ବହୁ ଚର୍ଚ୍ଚିତ ଯାଜପୁର ପାଣିକୋଇଲି ସ୍ଥିତ ପଣ୍ଡା ଅଳଙ୍କାର ଲୁଟ୍ ଏବଂ ମାଲିକଙ୍କୁ ଗୁଳି କରି ହତ୍ୟା କରିବା ଅଭିଯୋଗରେ ଅଭିଯୁକ୍ତ ଥିଲେ । ଜାନୁୟାରୀ ୪ ତାରିଖରେ ପଣ୍ଡା ଅଳଙ୍କାରରୁ ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଥିଲା । ଲୁଟେରାଙ୍କ ଗୁଳି ମାଡ଼ରେ ବିଦ୍ୟୁତ ବିଭାଗର ଜଣେ ଡ୍ରାଇଭର ନୀଳମାଧବ ପଣ୍ଡା ଏବଂ ଦୋକାନ ମାଲିକ ସୁନୀଲ ରାୟଙ୍କର ମୃତ୍ୟୁ ହୋଇଥିଲା । ଉଭୟ ଅଭିଯୁକ୍ତଙ୍କୁ ସୁରକ୍ଷା ଦୃଷ୍ଟିରୁ ଯାଜପୁର ଜେଲରୁ ଚୌଦ୍ୱାର ଅଣାଯାଇଥିଲା । ଯାଜପୁରରେ ମଧ୍ୟ ସେମାନଙ୍କ ନିକଟରୁ ଆରି ପାତ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା ।
Also read: ଆରବ ସାଗରରେ ଦାନା ବାନ୍ଧିଲା ବାତ୍ୟା