ଯାଜପୁର: ଯାଜପୁର ଜିଲ୍ଲା ମଙ୍ଗଳପୁରରେ ବାପା-ପୁଅ ମୃତ୍ୟୁ ଘଟଣାରେ ଭିନ୍ନ ମୋଡ଼ ଆସିଛି । ଗାୟତ୍ରୀ ଷ୍ଟୁଡିଓ ମାଲିକଙ୍କର ମୃତ୍ୟୁ ହୃଦଘାତରେ ନୁହେଁ ବରଂ ବିଷ ପିଇଥିବା କର୍ମଚାରୀଙ୍କ ଗୋଇଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହାକି ସମଗ୍ର ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅଧୀନ ମାନସିଂ ଗ୍ରାମର ସିଲୁ ପଣ୍ଡା ମଙ୍ଗଳପୁର ବଜାରରେ ଗାୟତ୍ରୀ ଷ୍ଟୁଡିଓ ନାମରେ ଏକ ଫଟୋ ଷ୍ଟୁଡିଓ କରିଥିଲେ । ଗତ ଶୁକ୍ରବାର ଦିନ ତାଙ୍କ ଷ୍ଟୁଡିଓର ଜଣେ କର୍ମଚାରୀ ବିକି କୌଣସି କଥାକୁ ନେଇ ବିଷ ପିଇଦେଇଥିଲେ । ମାଲିକ ସିଲୁ ପଣ୍ଡା ତାଙ୍କୁ ଗୁରୁତର ଅବସ୍ଥାରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବିକିଙ୍କୁ ପଟାସ ପାଣି ପିଆଉଥିବାବେଳେ ବିକି ଯନ୍ତ୍ରଣାରେ ହଠାତ୍ ଗୋଟେ ଗୋଇଠା ମାରି ଦେଇଥିଲେ । ଆଉ ସେହି ଗୋଇଠା ସିଧା ମାଲିକ ସିଲୁଙ୍କ ଛାତିରେ ବାଜିଥିଲା । ସିଲୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ ଏବଂ ତାଙ୍କ ଅବସ୍ଥା ଗୁରତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ଚିକିତ୍ସାଧୀନ ଅବସ୍ଥାରେ ସିଲୁଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ସିଲୁଙ୍କ ବାପା ରସାନନ୍ଦ ପଣ୍ଡା ପୁଅର ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଥିଲେ । ବୁଢ଼ା ବୟସରେ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ସେ ସହି ପାରିନଥିଲେ । ମାନସିକ ଭାରସାମ୍ୟ ହରାଇ ସିଲୁଙ୍କ ବାପା ମଧ୍ୟ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।
ସିଲୁଙ୍କ ଘରେ ସ୍ତ୍ରୀ, ଗୋଟିଏ ପିଲା ଏବଂ ମାଆ ଅଛନ୍ତି । ଗୋଟିଏ ଦିନରେ, ଗୋଟିଏ ପରିବାରରେ ଦୁଇଟି ମୃତ୍ୟୁ ଘଟଣା ସାରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।