ନୂଆଦିଲ୍ଲୀ: ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତ ସାରା ଓଡ଼ିଶାକୁ ବର୍ଷାରେ ବୁଡ଼ାଇଥିବାବେଳେ ଏବେ ଆରବ ସାଗରରେ ଏକ ବାତ୍ୟା ଦାନା ବାନ୍ଧିଛି । ଉତ୍ତର ଆରବ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଗତ ୬ ଘଣ୍ଟା ହେବ ଘଣ୍ଟା ପ୍ରତି ୧୩ କିମି ବେଗରେ ସ୍ଥଳ ଭାଗକୁ ଅଗ୍ରସର ହେଉଛି । ଗଭୀର ଅବପାତର କେନ୍ଦ୍ର ସ୍ଥଳ ବର୍ତ୍ତମାନ ଗୁଜରାଟ ଦ୍ୱାରକାଠାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୨୪୦ କିଲୋମିଟର, ପୋରବନ୍ଦରରୁ ପଶ୍ଚିମରେ ୨୭୦ କିମି, ନଲିୟାରୁ ୨୮୦ କିମି ଏବଂ ପାକିସ୍ତାନର କରାଚୀରୁ ଦକ୍ଷିଣରେ ୪୦୦ କିମି ଦୂରରେ ରହିଛି । ତେବେ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହାର ଚିତ୍ର ସ୍ପଷ୍ଟ ହୋଇ ନାହିଁ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଇଏମଡି ଅନୁଯାୟୀ, ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି । ଧିରେ ଧିରେ ପଶ୍ଚିମ ଆଡକୁ ଏବଂ ପରେ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ଭୟଙ୍କର ଘୂର୍ଣ୍ଣିଝଡ଼ରେ ପରିଣତ ହୋଇ ଚିତ୍ର ସ୍ପଷ୍ଟ ହେବାର ଆକଳନ କରାଯାଇଛି । ଘୂର୍ଣ୍ଣଝଡ଼ ପ୍ରଭାବରେ ଉତ୍ତର-ପୂର୍ବ ଆରବ ସାଗର ଏବଂ ଉତ୍ତର-ପଶ୍ଚିମ ଆରବ ସାଗର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ୫୫-୬୫ ରୁ ୭୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଅକ୍ଟୋବର ୩ ରୁ ୫ ତାରିଖ ମଧ୍ୟରେ ଗୁଜୁରାଟ - ଉତ୍ତର ମହାରାଷ୍ଟ୍ର ଉପକୂଳରେ ଏବଂ ଏହାର ଆଖପାଖରେ ୪୫-୫୫ ରୁ ୬୫ କିଲୋମିଟର ବେଗରେ ଝଡ଼ ପବନ ବହିବାର ସମ୍ଭାବନା ଅଧିକ ରହିଛି ।
ଆଜି (ଶୁକ୍ରବାର) ସନ୍ଧ୍ୟାରୁ ଘଣ୍ଟା ପ୍ରତି ୭୫-୮୫ କିଲୋମିଟର ପବନର ବେଗ ରହିବ ଏବଂ ୯୫ କିଲୋମିଟର ବେଗରେ ଝଟକା ପବନ ଦେବ । ୪ ଅକ୍ଟୋବର (ଶନିବାର) ସନ୍ଧ୍ୟାରୁ ୬ ଅକ୍ଟୋବର (ସୋମବାର) ସକାଳ ପର୍ୟ୍ୟନ୍ତ ଉତ୍ତର-ପୂର୍ବ ଆରବ ସାଗର ସଂଲଗ୍ନ ଉତ୍ତର-ପଶ୍ଚିମ ଆରବ ସାଗର ଉପରେ ୧୦୦-୧୧୦ ରୁ ୧୨୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ।