ଗଜପତି: ଲଘୁଚାପ ଜନିତ ବର୍ଷା ଦକ୍ଷିଣ ଓଡ଼ିଶାକୁ କନ୍ଦାଇ ଦେଇଛି । ବିଭିନ୍ନ ଜିଲ୍ଲାରେ ବର୍ଷାପ ବିତ୍ପାତ ଦେଖିବା ମିଳିଛି । ତେବେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ପେକଟ ଗାଁରେ ଭୂସ୍ଖଳନରେ ନିଖୋଜ ହୋଇଥିବା ବାପା ଓ ପୁଅଙ୍କ ସନ୍ଧାନ ଏବେବି ମିଳି ପାରି ନାହିଁ । ସନ୍ଧାନୀ କୁକୁର ଏବଂ ଅଗ୍ନିଶମ ବାହିନୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ସେପଟେ ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ଘଟଣାସ୍ଥଳରେ ପହଁଚି, ନିଖୋଜଙ୍କ ପରିବାର ବର୍ଗକୁ ଭେଟିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି ।
ମନ୍ତ୍ରୀ କହିଛନ୍ତି, ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଭୂସ୍ଖଳନ ଦ୍ୱାରା କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ନିଖୋଜ ଅଛନ୍ତି । ତହସିଲଦାର, ବିଡ଼ିଓ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଏହା ସହିତ ନଦୀର ଗତିପଥ ମଧ୍ୟ ବଦଳି ଯାଇଛି । ଏହା ସହିତ ରାମଗିରିକୁ ସଂଯୋଗ କରୁଥିବା ଏହି ରାସ୍ତାରୁ ପଥର ଖଣ୍ଡ ହଟାଇବାକୁ ଚେଷ୍ଟା ଜାରି ରହିଛି । କାର୍ତ୍ତିକ ଏବଂ ରାଜିକଙ୍କ ସନ୍ଧାନ ଖୁବ ଶୀଘ୍ର ମିଳିବ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।
ଏହା ସହିତ ମନ୍ତ୍ରୀ କହିଛନ୍ତି, ଗଜପତି ଜିଲ୍ଲାରେ ବାତ୍ୟା ତିତିଲି ପରଠାରୁ କ୍ରମାଗତ ଭାବେ ଭୂସ୍ଖଳନ ହେଉଛି । ୧୩୦ରୁ ଉର୍ଦ୍ଧ୍ୱ ସ୍ଥାନକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୂସ୍ଖଳନ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯିବ ।
ଗତକାଲି ୭୦ ବର୍ଷୀୟ କାର୍ତ୍ତିକ ଶବର ଓ ପୁଅ ରାଜିକ ଶବର ଚାଷଜମିକୁ ଯାଇଥିଲେ । ଆଉ ଜମିରୁ ଘରକୁ ଫେରିବା ସମୟରେ ବର୍ଷା ହେଉଥିବା ବେଳେ ଗଛ ତଳେ ସାହାରା ନେଇଥିଲେ । ସେହି ସମୟରେ ଭୂସ୍ଖଳନ ହୋଇଥିଲା । ସେଇଠି ବାପପୁଅ ମାଟି କାଦୁଅରେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଥିଲା ସୁଦ୍ଧା ଏଯାଏ କାହାର ବି କୌଣସି ଖବର ମିଳି ନାହିଁ ।