ଭୁବନେଶ୍ୱର: ଓଡ଼ିଶାରେ ଏବେ ଗ୍ରୀଷ୍ମର ପ୍ରକୋପ ଚରମ ସୀମାରେ। ସକାଳୁ ସକାଳୁ ତାତିର ତେଜ ଅନୁଭବ ହେଉଥିବା ବେଳେ ଦିନ ବଢ଼ିବା ସହ ଅସହ୍ୟ ଗରମ ଓ ଗୁଳୁଗୁଳି ଲୋକଙ୍କୁ ଅତିଷ୍ଠ କରିଦେଉଛି। ଏହାରି ମଧ୍ୟରେ ପାଣିପାଗ ବିଭାଗ ଦେଇଛି ଆଉ ଏକ ଚିନ୍ତାଜନକ ସୂଚନା। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ହିଟ୍ ୱେଭ୍ ଓ ପ୍ରବଳ ଗରମ ଜାରି ରହିବ ବୋଲି ଆକଳନ କରାଯାଇଛି।
ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ଥିବାରୁ ତାପମାତ୍ରା ଯେତେ ଥିବ, ଅନୁଭୂତ ତାପମାତ୍ରା ତାଠାରୁ ବହୁତ ଅଧିକ ରହିବ। ଅର୍ଥାତ୍ ୪୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ମଧ୍ୟ ୪୫ ଡିଗ୍ରୀ ଭଳି ଅନୁଭବ ହେବ। ବିଶେଷକରି ଉପକୂଳ ଓଡ଼ିଶାରେ ଗୁଳୁଗୁଳି ପରିସ୍ଥିତି ଅଧିକ ଅସହ୍ୟ ହେବାର ସମ୍ଭାବନା ରହିଛି।
ଏପଟେ ପଶ୍ଚିମ ଓଡ଼ିଶାରେ ଝାଞ୍ଜି ପବନ ଓ ପ୍ରଚଣ୍ଡ ତାତି ଜନଜୀବନକୁ ପ୍ରଭାବିତ କରୁଛି। ଅନେକ ସ୍ଥାନରେ ଦିନବେଳା ରାସ୍ତାଘାଟ ପ୍ରାୟ ଜନଶୂନ୍ୟ ହୋଇପଡ଼ୁଛି। ତେବେ ରାଜ୍ୟକୁ ମନସୁନ୍ କେବେ ପ୍ରବେଶ କରିବ, ସେନେଇ ଏଯାଏଁ କୌଣସି ସ୍ପଷ୍ଟ ପୂର୍ବାନୁମାନ ହୋଇନାହିଁ।
ଏହି ଅସହ୍ୟ ଗରମ ମଧ୍ୟରେ କିଛିଟା ଆଶ୍ୱସ୍ତି ଦେଇଛି କାଳବୈଶାଖୀର ସମ୍ଭାବନା। ପାଣିପାଗ ବିଭାଗ ଅନୁଯାୟୀ, ଆଜି ଅପରାହ୍ଣରେ ରାଜ୍ୟର ୨୦ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିପାରେ। ସେଥିପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।