ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାରେ ଏକ ଗ୍ରାମରେ ନଦୀରେ ବୁଡ଼ି ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଥିବାବେଳେ ଆହୁରି ୨ ଜଣ ନିଖୋଜ ଅଛନ୍ତି ।
କିଛି ଲୋକ ନଦୀ ଭିତରକୁ ଶାମୁକା ଖୋଜିବାକୁ ଯାଇଥିଲେ । ଏହି ସମୟରେ ଗଭୀର ପାଣି ଭିତରେ ଏକ ଲହଡ଼ି ଆସିବାରୁ ସମସ୍ତେ ନିଜର ଭାରସାମ୍ୟ ହରାଇଦେଇଥିଲେ । ଏହା ପରେ ଜଣକ ପରେ ଜଣେ ଭାସିଯାଇଥିଲେ । କିଛି ଲୋକଙ୍କୁ ଭାସି ଯାଉଥିବାର ଦେଖି, ଅନ୍ୟମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ନିଜେ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ, ସ୍ରୋତ ଏତେ ପ୍ରଖର ଥିଲା ଯେ ସେମାନେ ମଧ୍ୟ ଫସି ଯାଇଥିଲେ। ଗୋଟିଏ ପରେ ଗୋଟିଏ, ଅନେକ ଲୋକ ବୁଡ଼ି ଯିବାକୁ ଲାଗିଥିଲେ । ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରି ଉଦ୍ଧାରକାରୀମାନେ ନିଜେ ପାଣିରେ ବୁଡ଼ି ଯାଇଥିଲେ ।
ମୃତକମାନେ ହେଲେ ଉମେଶ ମଞ୍ଜୁନାଥ ନାଈକ (୪୦), ଲକ୍ଷ୍ମୀ ମହାଦେବ ନାଈକ (୪୨), ଲକ୍ଷ୍ମୀ ଜଟ୍ଟପା ନାଈକ (୩୦), ଲକ୍ଷ୍ମୀ ଅପନ୍ନା ନାଈକ (୭୦), ଲକ୍ଷ୍ମୀ ଶିବରାମ ନାଈକ (୪୯), ଜ୍ୟୋତି ମସ୍ତମ୍ମା ନାଈକ (୩୪) ଓ ମାଲତୀ ନାଈକ (୬୦) । ଦୁଇ ଜଣ ମହିଳାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହୁରି ଦୁଇ ଜଣ ଏବେବି ନିଖୋଜ ଅଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁଃଖଦ ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଟଙ୍କା ଘୋଷଣା କରିଛନ୍ତି ।
ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଏବଂ ବିରୋଧୀ ଦଳ ନେତା ଆର. ଅଶୋକ ମଧ୍ୟ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।