ବଲାଙ୍ଗୀର: ମଲା ପରେ ମିଳିଲାନି ଚାରି କାନ୍ଧ । ଯୁବାବସ୍ଥାରେ କରିଥିବା ଭୁଲର ଦଣ୍ଡ ମଲା ପରେ ଭୋଗୁଛନ୍ତି ବୃଦ୍ଧ । ମଲା ପରେ ବି ଜାତି ଭାଇ ଛୁଇଁଲେନି ଶବ । ୭ ଘଣ୍ଟା ଶବ ପଡି ରହିବା ପରେ ଶେଷରେ କିଛି ସମାଜସେବୀ ଓ ସାମ୍ବାଦିକ ଶବ ସତ୍କାର କରିଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଞ୍ଚଳର ବେହେରାବନ୍ଧ ଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ପାଟଣାଗଡ଼ ବେହେରାବନ୍ଧ ଗାଁର ପୁଟୁ ମଲ୍ଲିକ (୭୫) ଅନ୍ୟ ଜାତିର ଝିଅ ବିବାହ କରିଥିଲେ । ସେଥିପାଇଁ ଜାତି ଭାଇ ମିଶି ତାଙ୍କୁ ଆଜୀବନ ବାସନ୍ଦ କରିଥିଲେ । କିଛି ବର୍ଷ ଆଗରୁ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଦେହାନ୍ତ ହୋଇସାରିଛି । ସେତେବେଳେ କେହି ତାଙ୍କ ସ୍ତ୍ରୀର ଶବ ଉଠାଇବାକୁ ଆସିନଥିଲେ । ଶେଷରେ ପୁଟୁ ମଲ୍ଲିକଙ୍କର ଗତକାଲି ଦେହାନ୍ତ ହୋଇଯାଇଛି । ସ୍ତ୍ରୀ ପରି ସ୍ୱାମୀ ମଧ୍ୟ ସମାନ ଦଣ୍ଡ ଭୋଗିଛନ୍ତି । ସାହି ଭାଇ କେହି ତାଙ୍କ ଶବକୁ ହାତ ମଧ୍ୟ ଲଗାଇବାକୁ ଆସିନଥିଲେ ।
ଦୀର୍ଘ ୭ ଘଣ୍ଟା ଧରି ଘରେ ପଡ଼ି ରହିବା ପରେ ଖବର ପାଇ ପାଟଣାଗଡ଼ର କିଛି ସମାଜସେବୀ ଏବଂ ସାମ୍ବାଦିକ ଆସି ସମ୍ମାନର ସହ ଶବ ସତ୍କାର କରିଛନ୍ତି । ପ୍ରଥମେ ଗ୍ରାମର ଲୋକମାନଙ୍କୁ ବୁଝାଇ ଶବ ସତ୍କାର କରିବାକୁ ଅନୁରୋଧ କରିଥିଲେ ହେଲେ ଜାତିଆଣ ବାସନ୍ଦ ଥିବାରୁ କେହି ରାଜି ହୋଇ ନ ଥିଲେ । ଶେଷରେ କେବଳ ସମାଜସେବୀ ଏବଂ ସାମ୍ବାଦିକମାନେ ଶବ ଦାହ କରିଥିଲେ ।
ଏହି ଘଟଣା ସଭ୍ୟ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଏହାକୁ ସମସ୍ତ ସ୍ତରରେ ଲୋକେ ସମାଲୋଚନା କରୁଛନ୍ତି ।