ଭଦ୍ରକ ବିଜେପି ଲୋକସଭା କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୋଦି ଗ୍ୟାରେଣ୍ଟି ସଂକଳ୍ପ ପତ୍ରର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଲୋକସଭା ପ୍ରାର୍ଥୀ ତଥା ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୧୦ ବର୍ଷର ମୋଦିଙ୍କ ୨ୟ ସଂକଳ୍ପ ଘୋଷଣା ପତ୍ରରେ ଅଧାରୁ ଉର୍ଦ୍ଧ୍ୱ ସଂକଳ୍ପ ପୂରଣ ହୋଇଥିବା ନେଇ ଆଲୋଚନା ହୋଇଥିଲା।
ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଗଣମାଧ୍ୟମକୁ ମୋଦିଙ୍କ ୧୦ ବର୍ଷର ସୁଶାସନ ଓ ବିକାଶର ସଂକଳ୍ପ ପତ୍ରର ବିଷୟରେ ଅବଗତ କରାଇଥିଲେ। ତେବେ ଏହି ଗ୍ୟାରେଣ୍ଟି ଅନୁଯାୟୀ ୮୦ କୋଟିରୁ ଅଧିକ ନାଗରିକ ମାଗଣା ରାସନ ପାଉଥିବାବେଳେ ୫୦ କୋଟିରୁ ଉର୍ଦ୍ଧ୍ୱ ବ୍ୟାଙ୍କିଂ ବ୍ୟବସ୍ଥାରେ ଯୋଗ ଦେଇଛନ୍ତି। ୩୪ ଲକ୍ଷ କୋଟି ଟଙ୍କା ସିଧାସଳଖ ଲୋକଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ଏପରିକି ମାଗଣା ସ୍ୱାସ୍ଥ୍ୟବୀମା ଅଧୀନରେ ୩୪ କୋଟିରୁ ଅଧିକ ନାଗରିକ ଅନ୍ତର୍ଭୁକ୍ତ ହୋଇଛନ୍ତି। ୪ କୋଟିରୁ ଅଧିକ ପରିବାରଙ୍କୁ ବର୍ତ୍ତମାନ ସୁଦ୍ଧା ପକ୍କାଘର ମିଳିଥିବାବେଳେ ୧୪ କୋଟିରୁ ଉର୍ଦ୍ଧ୍ୱ ପରିବାର ବିଶୁଦ୍ଧ ଟ୍ୟାପ୍ ପାଣିର ସୁବିଧା ପାଇଛନ୍ତି। ଏହି ସମସ୍ତ ବିଷୟରେ ବିଜେପି ଲୋକସଭା କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା।