ଆଦର୍ଶ ଆଚରଣବିଧି ଲାଗୁ ନେଇ କଠୋର ହୋଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଆଉ ଅଭିଯୋଗ ଅଧାରରେ ଉଲ୍ଲଙ୍ଘନକାରୀଙ୍କ ଉପରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ । ୨୦୨୪ ମାର୍ଚ୍ଚ ୧୬ରୁ ମେ’ ୨ ମଧ୍ୟରେ ସର୍ବମୋଟ୍ ଆସିଥିବା ୫୪୮ ଅଭିଯୋଗ ମଧ୍ୟରୁ ୪୪୯ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି । ଅବଶିଷ୍ଟ ୯୯ ଅଭିଯୋଗ ଉପରେ ତର୍ଜମା ଚାଲିଥିବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ଶ୍ରୀ ଧଳ କହିଛନ୍ତି ଯେ ଦେଶରେ ସାଧାରଣ ନିର୍ବାଚନ-୨୦୨୪ ପାଇଁ ଗତ ମାର୍ଚ୍ଚ ୧୬ରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲା । ଆଦର୍ଶ ଆଚରଣ ବିଧି ସମୟରେ ରାଜନୈତିକ ଦଳମାନଙ୍କ ଆଚରଣ, ରାଜନୈତିକ ସଭା, ରାଲି, ନିର୍ବାଚନୀ ଇସ୍ତାହାର (ମ୍ୟାନିଫେଷ୍ଟୋ), ମତଦାନ ଦିବସ, ମତଦାନ କେନ୍ଦ୍ର, କ୍ଷମତାସୀନ ଦଳଙ୍କ କାର୍ଯ୍ୟକଳାପ ଆଦି ବିଷୟରେ ବ୍ୟବହାର ନିର୍ଦ୍ଦିଷ୍ଟ କରାଯାଇଛି । କୌଣସି ସ୍ତର ଓ ବ୍ୟକ୍ତିଙ୍କ ଦ୍ୱାରା ଏହାର ଉଲ୍ଲଂଘନ ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରେ ବିଭିନ୍ନ ରାଜନୈତିକ ଦଳ ଓ ଜନସାଧାରଣଙ୍କ ତରଫରୁ ଅଭିଯୋଗ କରାଯାଉଛି । କିଛି କ୍ଷେତ୍ରରେ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟକୁ ଏହି ସଂକ୍ରାନ୍ତୀୟ ଅନେକ ଅଭିଯୋଗ ଆସିଛି । ତେବେ ବର୍ତ୍ତମାନସୁଦ୍ଧା ସେଥିମଧ୍ୟରୁ ୪୪୯ଟି ଅଭିଯୋଗ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଛି ।
ଶ୍ରୀ ଧଳ ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଅନୁପାଳନ ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଲକ୍ଷ ରହିଛି ଆଉ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପ୍ରତି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଶୂନ୍ୟ ସହନଶୀଳତା ରହିଛି । ନିର୍ବାଚନ ହେଉଛି ଆମର ଜାତୀୟ ମହୋତ୍ସବ ତେଣୁ ମତଦାନ ଦ୍ୱାରା ସମସ୍ତେ ଏହି ମହୋତ୍ସବରେ ସାମିଲ ହେବା ଉଚିତ । ଏହା ବ୍ୟତୀତ ସି-ଭିଜିଲ୍ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ବହୁସଂଖ୍ୟକ ଅଭିଯୋଗ ଆଣୁଛନ୍ତି ଓ ଶୀଘ୍ର ସେସବୁର ସମାଧାନ ମଧ୍ୟ କରାଯାଉଛି । ଏଭଳି ପଦକ୍ଷେପଗୁଡ଼ିକ ଦ୍ୱାରା ଏକ ଶୃଙ୍ଖଳାପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା କରାଯାଉଛି । ସମସ୍ତ ମତଦାତା ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁରୋଧ କରିଛନ୍ତି ।