ରଙ୍ଗର ପର୍ବ ହୋଲି ପାଇଁ ଗାଁ ଠୁ ସହର ଚଳଚଞ୍ଚଳ ହୋଇପଡିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ହୋଲି ଉତ୍ସବକୁ ବେଶ୍ ଧୁମଧାମରେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବିଦେଶୀ ପର୍ଯ୍ୟଟକମାନେ ଏହି ପର୍ବର ମଜା ନେଇଛନ୍ତି। ପୁରୀରେ ଆୟୋଜିତ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ପକ୍ଷରୁ ଜାପାନୀ ପର୍ଯ୍ୟଟକଙ୍କୁ ନେଇ ହୋଲି ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜାପାନୀ ପର୍ଯ୍ୟଟକଙ୍କ ସହ ପୁରୀବାସୀ ଏବଂ ଅନ୍ୟ ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ଏହାର ମଜା ନେଇଛନ୍ତି। ଏହି କାର୍ଯ୍ୟକ୍ରମ ହୋଟେଲ ସାନ୍ତନା ପରିସରରେ ଅନୁଷ୍ଠିତ ହୋଇଥଲା।
ପୁରୀକୁ ଆସିଥିବା ଜାପାନୀ ପର୍ଯ୍ୟଟକମାନେ ହୋଲି ପର୍ବରେ ସାମିଲ ହୋଇ ବେଶ୍ ଆନନ୍ଦିତ ହେଇଥିଲେ। ଏହାର ପ୍ରତିକ୍ରିୟାରେ ସେମାନେ କହିଛନ୍ତିଯେ, "ହୋଲି ଖେଳ ଏକ ନିଆରା ପରମ୍ପରା ଓ ଏହା ଏକ ଭାଇଚାରାର ପର୍ବ । ଭାରତର ଏହି ପ୍ରସିଦ୍ଧ ପର୍ବରେ ସାମିଲ ହୋଇ ଆମେ ବେଶ୍ ଖୁସି । ଏହି ଅବସରରେ ଭାରତ ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ମିଳିଲା।"
ଅପରପକ୍ଷରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର୍ ର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, "ଦୀର୍ଘ ୧୫ ବର୍ଷରୁ ଅଧିକ ହେବ ଜାପାନୀ ପର୍ଯ୍ୟଟକଙ୍କୁ ନେଇ ଏହି ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଏହା ଦ୍ବାରା ଆମ ପରମ୍ପରା ବିଷୟରେ ଜାପାନୀ ପର୍ଯ୍ୟଟକ ମାନେ ଅବଗତ ହୋଇ ପାରୁଛନ୍ତି। ପର୍ଯ୍ୟଟକ ମାନଙ୍କୁ ଜାପାନୀ ଭାଷାରେ ହୋଲି ଉତ୍ସବ କଣ ଏବଂ ଏହାର ପରମ୍ପରା ବିଷୟରେ ବୁଝାଯାଉଛି। ଏହି ସୁନ୍ଦର ପରମ୍ପରା ବିଷୟରେ ଜାଣିବା ସହ ଜାପାନୀ ମାନେ ହୋଲି ଉତ୍ସବରେ ସାମିଲ ହେଉଛନ୍ତି।"
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପୁରୀବାସିନ୍ଦା ମାନେ କହିଛନ୍ତି ଯେ, "ସବୁବେଳେ ଆମେ ବନ୍ଧୁ ଓ ପରିବାରବର୍ଗ ଙ୍କ ସହ ହୋଲି ଖେଳୁ। ହେଲେ ଚଳିତବର୍ଷ ହୋଲି ଖେଳ ବେଶ୍ ନିଆରା ଥିଲା। ଭାରତର ପରମ୍ପରା କୁ ବିଦେଶୀମାନେ ଭଲ ପାଇ ପସନ୍ଦ କରିବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଖୁସି ର ବିଷୟ। ଏହା ଦ୍ବାରା ଓଡ଼ିଶା ଓ ଜାପାନ ମଧ୍ୟରେ ସଂସ୍କୃତି ଆଦାନ ପ୍ରଦାନ ସହ ଭାଇଚାରା ସହିତ ପର୍ଯ୍ୟଟନ ବୃଦ୍ଧି ପାଇବ।"
ଅଧିକ ପଢନ୍ତୁ:ଏସିଆର ନୂଆ ବିଲିଓନେୟାର ରାଜଧାନୀ ମୁମ୍ବାଇ