ଦିନକୁ ଦିନ ବଢିଚାଲିଛି କାର୍ଯ୍ୟରେ ଅବହେଳା। ଏପରି ଅପାରଗତା ଦେଖିବାକୁ ମିଳିଛି ବିଏମ୍ସି କାର୍ଯ୍ୟାଳୟରେ। ପୌର ଆଇନ୍-୨୦୦୩ ,ଧାରା ୧୬୦ ଅନୁଯାୟୀ ବିଏମ୍ସି ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ପୂର୍ବବର୍ଷର ପ୍ରଶାସନିକ ରିପୋର୍ଟ ପ୍ରସ୍ତୁତ କରିବାର ନିୟମ ଥିବା ବେଳେ ଏହାକୁ ଦୀର୍ଘ ଦିନରୁ ଅଣଦେଖା କରାଯାଉଛି। ବ୍ୟବସ୍ଥାରେ ସ୍ବଚ୍ଛତା ପାଇଁ କେଉଁ ପ୍ରକଳ୍ପରେ କେତେ ଖର୍ଚ୍ଚ ହେଲା, ତାହା ସମସ୍ତେ ଜାଣିପାରିବେ ବୋଲି ଏହି ନିୟମ ହୋଇଥିଲା। ଏହି ପୌର ଆଇନ୍ ଅନୁସାରେ ବିଏମ୍ସି ସମସ୍ତ ତଥ୍ୟ ସର୍ବସାଧାରଣ (ୱେବ୍ସାଇଟ୍ ଜରିଆରେ)ରହିବ ବୋଲି ବ୍ୟବସ୍ଥା ଥିଲା। କିନ୍ତୁ ଏବେ ତଥ୍ୟ ୱେବ୍ସାଇଟ୍ରେ ଉପଲବ୍ଧ ହେବ କଣ ସୂଚନା ଅଧିକାର ଆଇନ ବଳରେ ରିପୋର୍ଟ ମାଗିଲେ ମଧ୍ୟ ବିଏମ୍ସି ପକ୍ଷରୁ କୌଣସି ତଥ୍ୟ ଦେଉନି।
ସୂଚନା ଅନୁସାରେ, ପୌର ଆଇନ୍-୨୦୦୩ ଅନୁଯାୟୀ କମିଶନର ସମସ୍ତ ଉପବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟର ବିବରଣୀ ଲେଖିବାର ନିୟମ ଥିବା ବେଳେ କର୍ପୋରେସନ ପାଣ୍ଠିର ଦେଣନେଣ ଚିଠା ସହ ବାଲାନ୍ସ ସିଟ୍ ଏବଂ ଋଣ ଓ ବକେୟା ଅର୍ଥର ବିବରଣୀ ଲେଖିବେ। ଫାଇନାନ୍ସ କମିଟି ଏହାକୁ ତର୍ଜମା କରି ସମସ୍ତ କର୍ପୋରେଟରଙ୍କୁ ମଧ୍ୟ ଦେବ। ଏହା ସ୍ବୀକୃତ ଲାଭ କରିବା ପରେ ସର୍ବସାଧାରଣ ହେବ। ଧାରା ୧୬୧ ମୁତାବକ, ପ୍ରତି ମାସରେ ମୁଖ୍ୟ ଅଡିଟର ପାଣ୍ଠିର ଅଡିଟ୍ କରି କମିଟିକୁ ଏହାର ବିସ୍ତୃତ ରିପୋର୍ଟ ପଠାଇବେ। କମିଟି ଯେତେବେଳେ ଚାହିଁବ ସେତେବେଳେ ସମ୍ପୃକ୍ତ ତଥ୍ୟ କମିଶନର ଯୋଗାଇଦେବା ସହ ଆବଶ୍ୟକ ପଡ଼ିଲେ ଯେକୌଣସି ରେକର୍ଡର ନକଲ ମଧ୍ୟ ଉପଲବ୍ଧ କରାଇବେ। ତେବେ ଧାରା ୧୬୨ ମୁତାବକ, BMCର ମୁଖ୍ୟ ଅଡିଟର, ଆକାଉଣ୍ଟରେ ଥିବା ଅବ୍ୟବସ୍ଥା ଓ ତ୍ରୁଟିକୁ ଯାଞ୍ଚ କରି ରିପୋର୍ଟ ପ୍ରସ୍ତୁତ କରିବା ପରେ କମିଟି ଏହାକୁ ଅନୁଧ୍ୟାନ କରିବ। ଏହି ରିପୋର୍ଟରେ କୌଣସି ଅବ୍ୟବସ୍ଥା ବା ତ୍ରୁଟି ପରିଲକ୍ଷିତ ହେଲେ କମିଟି ଏହାକୁ କର୍ପୋରେସନ ବୈଠକରେ ଉପସ୍ଥାପନ କରିବ। ତେବେ ପ୍ରତି ମାସର ଏହି ଅଡିଟ୍ ରିପୋର୍ଟ ଆଧାରରେ ବର୍ଷ ଶେଷରେ ମୁଖ୍ୟ ଅଡିଟ୍ ଅଧିକାରୀ ବାର୍ଷିକ ରିପୋର୍ଟ କମିଟିକୁ ପ୍ରଦାନ କରିବେ। ଶେଷରେ କମିଶନର କମିଟି ଦେଇଥିବା ବାର୍ଷିକ ହିସାବ ଚିଠାର ନକଲ ପ୍ରତ୍ୟେକ କର୍ପୋରେଟରଙ୍କୁ ଦେବେ। କିନ୍ତୁ ଆଇନ୍ ଲାଗୁ ହେବା ଦିନରୁ ଏହି ବ୍ୟବସ୍ଥା ବିଏମ୍ସିରେ ନାହିଁ।
ଏଥିପାଇଁ କର୍ପୋରେଟର ନୃପେଶ ନାୟକ ପ୍ରଶାସନିକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ଚିଠି ଲେଖିବା ପରେ ବିଏମ୍ସି କମିଶନର ଏହି ପ୍ରଶାସନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମଧ୍ୟ କମିସନର ପ୍ରତିଶ୍ରୁତି ଦେଇଛନ୍ତି।
ଅଧିକ ପଢନ୍ତୁ: ଆଜି ବିଧାନସଭାରେ ଆଗତ ହେବ କାମଚଳା ବଜେଟ୍