ଯାଜପୁର : ମହିଳା ମାନଙ୍କ ଖାତାକୁ ଆସିଲା ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ରାଜ୍ୟର ୧୮ ଲକ୍ଷରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା । ଯାଜପୁରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଟଙ୍କା ପ୍ରଦାନ କରିଛନ୍ତି । ତେବେ ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସାରା ରାଜ୍ୟରେ ‘ସୁଭଦ୍ରା’ ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ୩.୩୮ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ( NPCI) କ୍ଲିୟରାନ୍ସ ସମସ୍ୟା ଥିଲା । ସେମାନଙ୍କ ମଧ୍ୟରୁ ୬୮ ହଜାର ମହିଳାଙ୍କର ସମସ୍ୟା ସମାଧାନ ହୋଇଛି । ବାକି ଯେଉଁମାନଙ୍କର ସମସ୍ୟା ରହିଛି, ସେମାନଙ୍କୁ ବ୍ୟାଙ୍କ ଯିବାକୁ ପଡ଼ିବ । ଏହାସହ ଯେଉଁମାନେ NPCIରେ ରହିଯିବେ ସେମାନଙ୍କୁ ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯୋଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ରେ ଯେଉଁମାନେ ଯୋଡି ହେବେ ସେମାନେ ଉଭୟ ପ୍ରଥମ କିସ୍ତି ଓ ଦ୍ଵିତୀୟ କିସ୍ତିର ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।
ଆଜିର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ସମେତ ଯାଜପୁର ସାଂସଦ ଡ଼ ରବୀନ୍ଦ୍ର ନାରାୟଣ ବେହେରା ଓ ବିଧାୟକ ଗଣ ସାମିଲ ଥିଲେ ।
ଅଧିକ ପଢନ୍ତୁ :- ଅନ୍ତୋଦୟ ଯୋଜନାରେ ମିଳିବ ପକ୍କା ଘର