ଭୁବନେଶ୍ୱର : ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ହିତାଧୀକାରୀଙ୍କୁ ଅନ୍ତୋଦୟ ଯୋଜନାରେ ପକ୍କା ଘର ମିଳିବ । ଏହାକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିବା ନେଇ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଏହି ଯୋଜନାରେ ଘର ମିଳିବ । ଆସନ୍ତା ୩ ବର୍ଷରେ ୨ ଲକ୍ଷ ୨୫ ହଜାର ହିତାଧିକାରୀଙ୍କୁ ଘର ପାଇବେ। ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନା ଥାଉ କି ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ୟ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ହୋଇଥିବା ପରିବାର, ଭିନ୍ନକ୍ଷମ ବ୍ୟକ୍ତି ମୁଖ୍ୟ ଉପାର୍ଜନକାରୀ ହୋଇଥିବା ପରିବାର, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଏବଂ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇ ନଥିବା ଯୋଗ୍ୟ ପରିବାରବର୍ଗଙ୍କୁ ଏହି ଯୋଜନାରେ ପକ୍କାଘର ଦିଆଯିବ । ଏହି ଯୋଜନାରେ ହିତାଧିକାରୀ ୨୫ ବର୍ଗ ମିଟର ପରିଧି ବିଶିଷ୍ଟ ପକ୍କା ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପାଇପାରିବେ ।
ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରିବେ ସେମାନଙ୍କୁ ଯଥାକ୍ରମେ ୨୦ ହଜାର ଟଙ୍କା ଏବଂ ୧୦ ହଜାର ଟଙ୍କାର ପୋତ୍ସାହନ ରାଶି ବା ବୋନସ ପ୍ରଦାନ କରାଯିବ ।