ଆଉ ସୁରକ୍ଷିତ ଅବସ୍ଥାରେ ନାହିଁ ରାଜଧାନୀ ଭୁବନେଶ୍ୱର। ସୀମା ଟପିଲାଣି ବର୍ବରତା | ରାଜଧାନୀର ଛାତି ଉପରେ ଚାଲିଛି ବିଭତ୍ସ ହତ୍ୟାକାଣ୍ଡ। ଏପରି କାଣ୍ଡ ଘଟାଇ ଦୁର୍ବୁତ୍ତମାନେ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ। ପୁଣି ଏମିତି କିଛି ଅମାନୁଷିକ କାଣ୍ଡ ଭିଆଇଛି ଦୁର୍ବୁତ୍ତ | ଏକ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି | ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ।
ସୂଚନାନୁଯାୟୀ,ଗତକାଲି ସନ୍ଧ୍ୟାବେଳେ ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ କେଳା ବସ୍ତିରେ ଏକ ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେହି ବସ୍ତିରେ ରହୁଥିବା ଘନିଆ ନାମକ ଜଣେ ଯୁବକ ଏହି ଜଘନ୍ୟ କାଣ୍ଡ ଘଟଣାଇଥିବା ପୋଲିସ ସୂତ୍ରରୁ ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ, ସୁନ୍ଦରପଦା କେଳାସାହି ବସ୍ତିର ଜଣେ ୪ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଗଳାକାଟି ହତ୍ୟା କରାଯାଇଛି ।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଉକ୍ତ ଅଞ୍ଚଳର ଘନିଆ ନାମକ ଜଣେ ଯୁବକର ଲୋଲୁପଦୃଷ୍ଟି ଉକ୍ତ ନାବାଳିକାଙ୍କ ଉପରେ ଥିଲା । ତେବେ ଗତକାଲି ସନ୍ଧ୍ୟାରେ ନାବାଳିକାଙ୍କ ବାପା ମା' କାମକୁ ଯାଇଥିବା ବେଳେ ସୁଯୋଗ ପାଇ ଘରେ ପଶିଥିଲା ଅଭିଯୁକ୍ତ । ପରେ ଚକୋଲେଟ୍ ଦେବା ଆଳରେ ନାବାଳିକାଙ୍କୁ ପାଖକୁ ଡ଼ାକି ତା'ସହ ଦୁଷ୍କର୍ମ କରିଥିଲା ଘନିଆ । ନାବାଳିକା ପାଟି ଖୋଲି ଜୋରରେ ଚିତ୍କାର କରିବାରୁ ଘନିଆ ତାଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଥିଲା । ଆଉ ତା'ପରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା ଅଭିଯୁକ୍ତ । ନାବାଳିକାଙ୍କ ବାପା ମା' ଘରକୁ ଫେରିବା ବେଳକୁ ଝିଅ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହିଥିଲା | ଏହାକୁ ଦେଖି ନାବାଳିକାଙ୍କ ବାପା ତୁରନ୍ତ ଝିଅକୁ ହସ୍ପିଟାଲ୍ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏହାକୁ ନେଇ ବସ୍ତିରେ ଉତ୍ତେଜନା ସୃଷ୍ଟି ହୋଇଛି | ତାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁକରି ଛାନଭିନ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ପେଶାଲ ସ୍କ୍ୱାଡ୍ ଓ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ : ରାସ୍ତାକଡ଼ରୁ ସନ୍ଦେହ ଜନକ ଭାବେ ମହିଳାଙ୍କ ମୃତଦେହ ଉଦ୍ଧାର