ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଶ୍ରୀ ଲିଙ୍ଗରାଜଙ୍କ ପୀଠରେ ୩୫ତମ ଜାତୀୟସ୍ତରୀୟ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକାମ୍ର ସଂସ୍କୃତି ପ୍ରକାଶନୀ ପକ୍ଷରୁ ଏହି ସମାରୋହ ଆୟୋଜିତ ହୋଇଥିବା ବେଳେ ଏଥିରେ ବଲିଉଡ଼ର ଖ୍ୟାତିନାମା କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ ଯୋଗ ଦେଇ ନିଜ ଗୀତରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।
ଗତ ଶୁକ୍ରବାର ମହାଶିବରାତ୍ରୀ ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମହାଦେବଙ୍କ ପାଖରେ ଭକ୍ତମାନେ ମାନସିକ କରି ଉଜାଗର ରହି ଦୀପ ଜାଳି ଜାଗର ପାଳିଥିଲେ। ଏହି ପରିପ୍ରେକ୍ଷୀରେ ଭଜନରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଏକାମ୍ର କ୍ଷେତ୍ର । ତେବେ ପ୍ରତିବର୍ଷ ପରି ଏଥର ମଧ୍ୟ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ଭଜନ ସମାରୋହ କରାଯାଇଥିଲା । ଚଳିତ ଥର ବଲିଉଡ଼ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପୌଡ଼ୱାଲ ମୁଖ୍ୟ ଆକର୍ଷଣ ସାଜିଥିବା ବେଳେ ଏଥିରେ ମୁମ୍ବାଇର ଖ୍ୟାତନାମା କଳାକାର ହୋସିୟାର ସିଂ, ହେମନ୍ତ ବ୍ରୀଜୱାସି, ପୁନମ୍ ଭାଟିଆ, ଚେତନ ବ୍ରୀଜୱାସି, ଲୋପିତା ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମଧ୍ୟ ୩୦ରୁ ଊର୍ଦ୍ଧ୍ୱ ଖ୍ୟାତନାମା କଳାକାର ଯୋଗ ଦେଇଥିଲେ। ଓଲିଉଡ଼ ଓ ବଲିଉଡର ଯୁଗଳ ବନ୍ଦୀରେ ଭଜନ ସାଙ୍ଗକୁ ଶିବଙ୍କ ଜୟକାରରେ କମ୍ପିତ ହୋଇଥିଲା ପରିବେଶ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ମହାଶିବରାତ୍ରି ଅବସରରେ ଲିଙ୍ଗରାଜ ଭଜନ ମଣ୍ଡପରେ ଭୋର ୪ ଘଟିକାରୁ ଶଙ୍ଖଧ୍ବନି, ବେଦପାଠ, ଶିବ ସହସ୍ର ନାମ, ଶିବ ଚେତନା, ହରିହର ଭଜନ, ଭାଗବତ ଗୀତାପାଠ, ରାମ ଚରିତ ମାନସ ପରାୟଣ ଏବଂ ପରିଶେଷରେ ପ୍ରବଚନ ପରେ ସନ୍ଧ୍ୟା ୭ଟାରୁ ଜାତୀୟସ୍ତରୀୟ ଭଜନ ସମାରୋହ ହୋଇଥିଲା । ଏହି ଭଜନ ସମାରୋହ କାର୍ଯ୍ୟକ୍ରମକୁ ବିଧାୟକ ସୁରେଶ କୁମାର ରାଉତରାୟ ଓ ସମ୍ପାଦକ ସନତ ମିଶ୍ର ପରିଚାଳନା କରିଥିବାବେଳେ ବେଶ ଶୃଙ୍ଖଳିତ ଭାବେ ଏହି ଉତ୍ସବ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଓ ବିଧାୟକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ସଂଗୀତ ଜଗତର ଅନେକ ଖ୍ୟାତନାମା କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରିଥିଲେ। ତେବେ ରାତି ୧୦ଟା୧୫ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିବା ପରେ ଶ୍ରଦ୍ଧାଳୁମାନେ ବ୍ରତ ସମାପନ କରିଥିଲେ।
ଅଧିକ ପଢନ୍ତୁ: ଅଯୋଧ୍ୟା ଯିବ ବିଶ୍ଵର ସବୁଠୁ ବଡ଼ ନଗାଡ଼ା