ଶ୍ରେୟସଙ୍କ ଶତକ ଉପରେ ଭାରି ପଡ଼ିଲା ଟେଲରଙ୍କ ଶତକ, ୫ ଟି-୨୦ ହାରିବା ପରେ ଶେଷରେ ଭାରତକୁ ହରାଇଲା ନ୍ୟୁଜିଲାଣ୍ଡ
Khabar Odisha:sports--cricket--odisha-ind-vs-nz-1st-odi-match-report-and-highlights-new-zealand-beats-india-by-4-wickets
ହାମିଲଟନ, ଫେବୃଆରୀ୦୫(ଖବର ଓଡ଼ିଶା):

ବିଜୟ ରଥରେ ବସିଥିବା ଭାରତକୁ ଶେଷରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଶ୍ରେୟସ ଆୟରଙ୍କ ଶତକ ଉପରେ ଭାରି ପଡ଼ିଛି ରସ୍ ଟେଲରଙ୍କ ଅପରାଜିତ ଶତକ। ଟି-୨୦ରେ କ୍ରମାଗତ ୫ଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି କିଓ୍ଵି ଦଳ। ଟେଲରଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ଭ୍ରମଣକାରୀ ହାମିଲଟନର ସେଡନ ପାର୍କରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତକୁ  ୪ ଓ୍ଵିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ତିନି ମ୍ୟାଚ୍ ବିଶିଷ୍ଟ  ଦିନିକିଆ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ଘରୋଇ ନ୍ୟୁଜିଲାଣ୍ଡ। ଶ୍ରେୟସ ଆୟର(୧୦୩), ଲୋକେଶ ରାହୁଲ(୮୮) ଓ ବିରାଟ କୋହଲି(୫୧)ଙ୍କ ସହାୟତାରେ ପ୍ରଥମେ ବ୍ୟାଟିଂ କରି ଭାରତ ୪ ଓ୍ଵିକେଟ୍  ହରାଇ ୩୪୭ ବିଶାଳ ରନ ସ୍କୋର କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ରସ୍  ଟେଲର(୧୦୯) ଦମଦାର ଅପରାଜିତ ଶତକ, ହେନରି ନିକୋଲାସ(୭୮) ଓ ଟମ୍ ଲାଥମ(୬୯) ସହାୟତାରେ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ୩୪୮ ବିଶାଳ ବିଜୟ ଲକ୍ଷ୍ୟ  ହାସଲ କରି ନେଇଛି। ନ୍ୟୁଜିଲାଣ୍ଡର ଦିନିକିଆ ଇତିହାସରେ ଏହା ହେଉଛି ସବୁଠୁ ସଫଳ ରନ ଚେଜ୍। ଏହି ବିଜୟରେ ମହତ୍ଵପୂର୍ଣ୍ଣ ଭୂମିକା ଟେଲର ଓ ଲାଥମଙ୍କ ମଧ୍ୟରେ  ଚତୁର୍ଥ ଓ୍ଵିକେଟ୍ ପାଇଁ ହୋଇଥିବା୧୩୮ ରନର ଭାଗିଦାରୀ। ମ୍ୟାଚ୍ ବିଜୟୀ ପାଳି ଖେଳିଥିବା ରସ୍ ଟେଲର ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। 

 ୩୪୮ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଦୁଇ ଓପନର ମାର୍ଟିନ ଗୁପଟିଲ ଓ ହେନରୀ ନିକୋଲାସ ଦୃଢ଼ ଆରମ୍ଭ ଦେଇଥିଲେ। ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟ୍ ପାଇଁ ୮୫ ରନ ଯୋଡ଼ିଥିଲେ। ଏହି ସ୍କୋରରେ ମାର୍ଟିନ ଗୁପଟିଲ(୩୨)ଙ୍କୁ ଆଉଟ୍ କରି ଶାର୍ଦ୍ଦୁଳ ଠାକୁର ଏହି ଯୋଡ଼ି ଭାଙ୍ଗି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଟମ୍ ବ୍ଲୁନଡେଲ୍(୯) କୁଲଦୀପଙ୍କ ଶିକାର ହୋଇଥିଲେ। ୧୦୯ ରନରେ ୨ଟି ଓ୍ଵିକେଟ୍ ହରାଇବା ପରେ ନିକୋଲାସ ଓ ରସ୍ ଟେଲର ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଏହି କ୍ରମରେ ନିକୋଲାସ୍ ଦିନିକିଆ କ୍ରିକେଟରେ ନିଜର ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। ନିକୋଲାସ୍ ଓ ଟେଲର ତୃତୀୟ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ି ଦଳର ବିଜୟ ଆଶାକୁ ଉଜ୍ଜିବୀତ ରଖିଥିଲେ। କୋହଲିଙ୍କ ଚମତ୍କାର ଫିଲ୍ଡିଂରେ ହେନରି ନିକୋଲାସ୍ ରନ ଆଉଟ୍ ହୋଇଥିଲେ। ସେ ୮୨ ବଲରୁ ୧୧ ଚୌକା ବଳରେ ୭୮ ରନ କରି ପାଭିଲିୟନ ଫେରିଥିଲେ। 

ଏହା ପରେ ଟେଲର ଓ ଟମ ଲାଥନଙ୍କ ମଧ୍ୟରେ ମ୍ୟାଚ୍ ବିଜୟ ଭାଗିଦାରୀ ଦେଖିବାକୁ ମିଳିଥିଲା। ଦୁଇ ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ପ୍ରହାର କରି କୌଣସି ସୁଯୋଗ ଦେଇନଥିଲେ। ଉଭୟ ବ୍ୟାଟସମ୍ୟାନ ଚତୁର୍ଥ ଓ୍ଵିକେଟ୍ ପାଇଁ ୧୩୮ ରନ ଯୋଡ଼ି ଦଳକୁ ବିଜୟର ନିକଟତର କରାଇଥିଲେ। 

ଟମ୍ ଲାଥନ ଦିନିକିଆ କ୍ୟାରିୟରରେ ୧୫ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୮ ବଲରୁ ଦ୍ରୁତ ବ୍ୟାଟିଂ କରି ୮ ଚୌକା ଓ ୨ ଛକା ଜରିଆରେ ୬୯ ରନ କରି କୁଲଦୀପଙ୍କ ବଲରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ୩୨୮ ସ୍କୋରରେ ଜେମ୍ସ ନିସାନ ଓ ୩୩୧ ସ୍କୋରରେ କୋଲିନ ଡି ଗ୍ରାଣ୍ଡହୋମ ଶୀଘ୍ର ଆଉଟ୍ ହୋଇଥିଲେ ମଧ୍ୟ ଟେଲର ଅନ୍ୟପଟେ କ୍ରିଜେରେ ଜମି ରହି ଦଳକୁ ବିଜୟୀ କରାଇଥିଲେ। ଟେଲର ୮୪ ବଲରୁ ୧୦ ଚୌକା ଓ ୪ ଛକା ସହାୟତାରେ ୧୦୯ ରନର ଅପରାଜିତ ପାଳି ଖେଳି ନ୍ୟୁଜିଲାଣ୍ଡକୁ ୪ ଓ୍ଵିକେଟରେ ବିଜୟୀ କରାଇଥିଲେ।  ସାଣ୍ଟନର ୧୨ ରନ କରି କ୍ରିଜରେ ଥିଲେ। ଟେଲରଙ୍କ ଏହି ଦମଦାର ଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ୩୪୮ ରନର ବିଶାଳ ଲକ୍ଷ୍ୟକୁ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ହାସଲ କରି ନେଇଥିଲା। ଦିନିକିଆ ଇତିହାସରେ ନ୍ୟୁଜିଲାଣ୍ଡର ଏହା ହେଉଛି ସବୁଠୁ ବଡ଼ ସଫଳ ରନ ଚେଜ୍।

ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ଓ୍ଵିକେଟ୍ ନେଇଥିଲେ ହେଁ ବହୁତ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୧୦ ଓଭରରେ ୮୪ ରନ ବ୍ୟୟ କରିଥିଲେ। ମହମ୍ମଦ ସାମି ଓ ଶାର୍ଦ୍ଦୁଳ ଠାକୁର  ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଶାର୍ଦ୍ଦୁଳ ୯ ଓଭରରେ ୮୦ ରନ ବ୍ୟୟ କରିଥିଲେ।

Subscribe

National International State Sports Entertainment