ଆଇପିଏଲ ୨୦୨୪ ର ୪୧ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଆଜିର ମ୍ୟାଚ ସନ୍ଧ୍ୟାରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ଦଳ ଭଲ ଫର୍ମରେ ଅଛି । ହାଇଦ୍ରାବାଦ ୭ଟି ମ୍ୟାଚରୁ ୫ଟି ରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ରହିଛି । ବେଙ୍ଗାଲୁରୁ ୮ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟସ ଟେବୁଲର ଦଶମ ସ୍ଥାନରେ ରହିଛି । ଏହି ଦୁଇ ଦଳ ଚଳିତ ସିଜିନରେ ପୂର୍ବରୁ ଭେଟ ହୋଇଥିବାବେଳେ ହାଇଦ୍ରାବାଦ ୨୮୭ ରନ ସ୍କୋର କରିଥିଲା ଯାହା ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ।
ତେବେ ଆଜିର ମ୍ୟାଚରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବାକୁ ଚାହିଁବ, କାରଣ ଏହି ଗ୍ରାଉଣ୍ଡରେ ଚେଜ କରିଥିବା ଦଳ ୪୦ ମ୍ୟାଚରେ ବିଜୟ ହାସଲ କରିଥିବାବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୩୨ ଟି ମ୍ୟାଚରେ ବିଜୟ ହାସଲ କରିଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୪ ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ସନରାଇଜର୍ସ ହାଇଦ୍ରାବାଦ ୧୩ ଟି ମ୍ୟାଚ ଜିତିଛି ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୦ ଟି ମ୍ୟାଚ ଜିତିଛି।
ଅଧିକ ପଢନ୍ତୁ : ଶେଷ ଓଭରରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ