କେଏଲ ରାହୁଲ ଏବଂ କୁଇଂଟନ ଡିକକ୍ ଙ୍କ ଶତକୀୟ ଭାଗିଦାରୀ ଫଳରେ ୧୭୭ ରନର ଲକ୍ଷ୍ୟକୁ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ରାହୁଲଙ୍କ ପ୍ରତିନିଧିତ୍ବରେ ପ୍ରଥମେ ଚେନ୍ନାଇକୁ ୧୭୬ ରନରେ ସୀମିତ ରଖିବା ପରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ୧୯ ଓଭରରେ ହାସଲ କରିଛି ଲକ୍ଷ୍ନୌ । ଲକ୍ଷ୍ନୌ ସୁପର ଜାଏଣ୍ଟସ ୮ ୱିକେଟ୍ ରେ ବାଜି ମାରିଥିବାବେଳେ ରାହୁଲଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ଲକ୍ଷ୍ନୌ । ଏହି ନିଷ୍ପତିକୁ ସହଯୋଗ କରି ଲକ୍ଷ୍ନୌର ବୋଲର ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ । ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସହ ୨୦ ଓଭରରେ ଚେନ୍ନାଇକୁ ୧୭୬ ରନରେ ସୀମିତ ରଖିଥିଲେ । ୧୮ ଓଭର ଶେଷ ସୁଦ୍ଧା ଚେନ୍ନାଇ ୧୫୦ ଛୁଇଁ ନଥିବାବେଳେ ବ୍ୟାଟିଂ କରିବାକୁ ଆସିଥିଲେ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି । ଧୋନି ୯ ବଲରେ ୨୮ ରନ କରିଥିଲେ ଯେଉଁଥିରେ ୩ଟି ଚୌକା ଓ ୨ଟି ଛକ୍କା ସାମିଲ ଥିଲା । ଧୋନିଙ୍କ ଫିନିସିଙ୍ଗ ପାଳି ବଳରେ ଚେନ୍ନାଇ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିଥିଲା । ଚେନ୍ନାଇ ପକ୍ଷରୁ ଜାଡେଜା ୫୭, ରାହାଣେ ୩୬, ମୋଏନ ଅଲି ୩୦, ଧୋନି ୨୮, ଋତୁରାଜ ୧୭, ଶିବମ ଦୁବେ ୩ ଓ ସମୀର ରିଜବି ୧ ରନ କରିଥିଲେ । ରଚିନ ରବୀନ୍ଦ୍ର ଖାତା ନଖୋଲି ୱିକେଟ୍ ହରାଇଥିଲେ ।
ଲକ୍ଷ୍ନୌ ବୋଲିଂରେ କୄନାଲ ପାଣ୍ଡ୍ୟା ୨ଟି ୱିକେଟ୍ ନେଇଥିବାବେଳେ ମୋହସୀନ ଖାନ, ରବି ବିଷ୍ଣୋଇ, ୟଶ ଠାକୁର, ଷ୍ଟୋଇନିସ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା କେଏଲ ରାହୁଲ ଏବଂ କୁଇଂଟନ ଡିକକ୍ ଧର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । କୁଇଂଟନ ଡିକକ୍ ୫୪ ରନ କରି ୱିକେଟ୍ ହରାଇଥିଲେ । ପରେ ରାହୁଲ ୮୨ ରନରେ ପଥିରାନାଙ୍କ ଶିକାର ହୋଇଥିଲେ । ମାର୍କସ ଷ୍ଟୋଇନିସ ଅପରାଜିତା ରହି ୮ ରନ କରିଥିବାବେଳେ ନିକୋଲାସ ପୁରାଣ ୧୨ ବଲରେ ୨୩ ରନକୁ ମ୍ୟାଚ ଜିତାଇଥିଲେ ।
ଅଧିକ ପଢନ୍ତୁ : ପର୍ପଲ କ୍ୟାପ ଦୌଡରେ ଆଗରେ ବୁମରା