ଟକମକ ଖରାରେ ଫୁଟୁଛି ଓଡ଼ିଶା।ଦିନକୁ ଦିନ ଭୟଙ୍କର ହେଉଛି ତାତି। ତା’ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ କରିଦେଲାଣି ଅସ୍ତବ୍ୟସ୍ତ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ଏହିପରି ଭୟଙ୍କର ତାତି ଦେଖିବାକୁ ମିଳିବ। ଦୁଇ ଦିନ ସିଭିୟର ହିଟୱେଭ୍ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ସକାଳ ୧୦ରୁ ଅପରାହ୍ନ ୩ଟା ଭିତରେ ଘରୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍ ଅନୁସାରେ ଶନିବାର ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଭୟଙ୍କର ତାତି ଅନୁଭୂତ ହେବ। ସେଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ କିମ୍ୱା ତା’ଠାରୁ ଅଧିକ ରେକର୍ଡ ହୋଇପାରେ।
ସେହିପରି ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ୱଲପୁର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ହେବ। ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ହେବ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଆଜି ୧୨ଟି ସହର ରେ ୪୩ଡିଗ୍ରୀ ଅତିକ୍ରମ କଲା ଦିନରତାପମାତ୍ରା ।୩୨ଟି ସହରରେ ୪୦ଡିଗ୍ରୀ କିମ୍ବା ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ୪୪.୬ ଡିଗ୍ରୀ ସହ ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଅନୁଗୁଳ । ତା ପଛକୁ ରହିଛି ବୌଦ୍ଧ।ସେହିପରି ନୂଆପଡା ଏବଂ ବଲାଙ୍ଗୀର ରେ ୪୪ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।