ଏକ ରୋମାଞ୍ଚକର ମ୍ୟାଚର ଅନ୍ତରେ ୯ ରନରେ ବାଜି ମାରିଛି ମୁମ୍ବାଇ ଇଂଡିଆନ୍ସ । ଆଶୁତୋଷ ଶର୍ମାଙ୍କ ଲଢୁଆ ପାଳି ସତ୍ୱେ ପଞ୍ଜାବକୁ ପରାଜୟର ସାମ୍ନା କରିବାକୁ ପଡିଛି । ମୁମ୍ବାଇର ଦ୍ରୁତ ବୋଲିଂ ଆଗରେ ଧରାଶାୟୀ ହୋଇପଡ଼ିଥିଲା ପଞ୍ଜାବ । ପାୱାରପ୍ଲେରେ ୪ଟି ୱିକେଟ୍ ର ପତନ ସତ୍ୱେ ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ପଞ୍ଜାବକୁ ବିଜୟ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ମୁମ୍ବାଇର ଅଭିଜ୍ଞ ଯଶପ୍ରୀତ ବୁମରାଙ୍କ ବୋଲିଂ ବଳରେ ମୁମ୍ବାଇ ମ୍ୟାଚ ଜିତିବାରେ ସଫଳ ହୋଇଥିଲା । ଏହା ସହ ଯଶପ୍ରୀତ ବୁମରା ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ଟସ୍ ହାରିବା ପରେ ମୁମ୍ବାଇକୁ ବ୍ୟାଟିଂ କରିବାକୁ ପଡିଥିଲା । ମୁମ୍ବାଇର ଓପନର ଈଶାନ କିଷାନ ୮ ରନ କରି ୩ୟ ଓଭରରେ ୱିକେଟ୍ ହରାଇଥିଲେ । ଏହା ପରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଇନିଂସକୁ ଆଗକୁ ନେଇଥିଲେ । ରୋହିତ ଶର୍ମା ୩୬, ସୂର୍ଯ୍ୟକୁମାର ୭୮, ତିଲକ ବର୍ମା ୩୪, ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓ ଟିମ ଡେଭିଡ ୧୪ ରନ କରିଥିଲେ । ଏହା ସହ ୨୦ ଓଭରରେ ମୁମ୍ବାଇ ୭ ଟି ୱିକେଟ୍ ହରାଇ ୧୯୨ ରନ ସଂଗ୍ରହ କରିଥିଲା । ହର୍ଶଲ ପଟେଲ ୩ଟି, ସାମ କରନ ୨ଟି ଓ ରବାଡା ଗୋଟିଏ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ପଞ୍ଜାବ କିଙ୍ଗସ ଗୋଟିଏ ପରେ ଗୋଟିଏ ୱିକେଟ୍ ହରାଇବା ପରେ ଲକ୍ଷ୍ୟ ହାସଲ କରିବା ପଞ୍ଜାବ କଷ୍ଟକର ହୋଇପଡିଲା । କିନ୍ତୁ ଦୁଇ ଭାରତୀୟ ଶଶାଙ୍କ ସିଂ ଓ ଆଶୁତୋଷ ବର୍ମା ମୁମ୍ବାଇର ବୋଲରଙ୍କ ଆଗରେ ଖୁଣ୍ଟ ପରି ଛିଡା ହୋଇଥିଲେ । ୧୩ ଓଭର ଆରମ୍ଭରେ ବୁମରା ବୋଲିଂ କରିବାକୁ ଆସି ଶଶାଙ୍କଙ୍କ ୱିକେଟ୍ ନେଇଥିଲେ । ଆଶୁତୋଷ ଶର୍ମା ସୁନ୍ଦର ବ୍ୟାଟିଂର ପ୍ରଦର୍ଶନ କରିବା ସହ ୬୧ ରନର ପାଳି ଖେଳିଥିଲେ । ଦୁର୍ଭାଗ୍ୟବଶତଃ ଆଶୁତୋଷ ନିଜ ୱିକେଟ୍ ହରାଇବା ପରେ ପଞ୍ଜାବ ଫ୍ୟାନ୍ସଙ୍କ ଆଶା ମଉଳି ଯାଇଥିଲା । ଶେଷରେ ମୁମ୍ବାଇ ୯ ରନରେ ବାଜି ମାରିଥିଲା ।
ଅଧିକ ପଢନ୍ତୁ : ପଞ୍ଜାବ କିଙ୍ଗ୍ସ ବନାମ ମୁମ୍ବାଇ ଇଂଡିଆନ୍ସ